ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଚାଲିଛି ଗଛକଟା

ଦାରିଙ୍ଗବାଡ଼ି,୨୪।୮(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଗରମ ବୃଦ୍ଧି ପାଇବା ସହ ଅସ୍ବାଭାବକି ଭାବେ ପାଣିପାଗର ପରିବର୍ତ୍ତନ ହେଉଛି। ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ କଂକ୍ରିଟ ରାସ୍ତା, ଘର ବୃଦ୍ଧି ପାଉଛି। ସେହିପରି ଜନବସତି ବୃଦ୍ଧି ଯୋଗୁ ଜଙ୍ଗଲ ମଧ୍ୟ କ୍ଷୟ ହେବାରେ ଲାଗିଛି। ଅନ୍ୟପଟେ ଜନସଂଖ୍ୟା ଅନୁଯାୟୀ ଯାନବାହନ ବୃଦ୍ଧି ପାଇଛି। ଏବେ ପୁଣି ଜଙ୍ଗଲ ସଫା ଆଉଏକ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳ ଏବେ ଜଙ୍ଗଲ ସଫା ଯୋଗୁ ନିଜ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି। ଗୋଟିଏ ପଟେ କାଠ ମାଫିଆ ଜଙ୍ଗଲ ସଫା କରିଆସୁଥିବାବେଳେ ଜିଲା ପ୍ରଶାସନ ଜଙ୍ଗଲଜମି ଲୋକଙ୍କୁ ପ୍ରଦାନ ପରେ ଜଙ୍ଗଲ ନିଜ ଅସ୍ତିତ୍ୱ ହରାଇବାକୁ ବସିଲାଣି। ସେପଟେ ରାଇପୁର ଠାରୁ ଗୋପାଳପୁର ପର୍ଯ୍ୟନ୍ତ ୫୯ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ହୋଇଥିବାବେଳେ ଏବେ ବାଲିଗୁଡ଼ା ଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଜୋରଦାର ଚାଲିଛି। ଏଥିପାଇଁ ରାଜପଥ କଡ଼ରେ ରହିଥିବା ପ୍ରାୟ ୨୫ଶହ ଗଛ କଟାଯିବ। ତେବେ ବନ ବିଭାଗର ଉଦ୍ୟମରେ ପ୍ରାୟ ୧ହଜାର ଗଛକୁ ନୂତନ ଜ୍ଞାନକୌଶଳରେ ରାଜପଥ କଡ଼ରୁ ନେଇ ଜଙ୍ଗଲ ଭିତରେ ପୁନଃରୋପଣ କରାଯାଇଛି। ତେବେ ବଳକା ଗଛ ଏବେ ବନ ବିଭାଗର କର୍ପୋରେସନ ପକ୍ଷରୁ କଟା ଚାଲିଛି। ଫଳରେ ଅଞ୍ଚଳରେ ପୁଣି ଗରମ ଦ୍ୱିଗୁଣିତ ହେବା ଆଶଙ୍କା କରାଯାଉଛି। ଦାରିଙ୍ଗବାଡିର ଜଙ୍ଗଲ, ପାହାଡ଼, ଝରଣା ଏହି ପର୍ଯ୍ୟଟନ କେନ୍ଦ୍ରକୁ ଆସିବା ପାଇଁ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ। ଗଛ କଟାଯିବା ପରେ ରାଜପଥରେ ଯାଉଥିବା ପଥିକ ମାନେ ଆଉ ଗଛ ଛାଇ ପାଇପାରିବେ ନାହିଁ। ବନ ବିଭାଗ ଗଛ ସ୍ଥାନାନ୍ତର ପ୍ରକ୍ରିୟା ବିଫଳ ହୋଇଛି। ଅଧାରୁ ଉର୍ଦ୍ଧ୍ୱ ଗଛ କଟାଯାଉଥିବାବେଳେ ତା ପରିବର୍ତ୍ତେ ପୁଣି ୧୦ଗୁଣ ଗଛ ଲାଗାଯିବ ବୋଲି କର୍ପୋରେସନର ଫିଲ୍ଡ ଆଶିଷ୍ଟାଣ୍ଟ ଦେବାନନ୍ଦ ପାଣି କହିଛନ୍ତି। ପୁଣି ଚାରାରୋପଣ କରାଗଲେ ମଧ୍ୟ ତାହା ବଢ଼ିବା ପାଇଁ ବହୁ ସମୟ ଦରକାର। ବନବିଭାଗ ଉଦ୍ୟମ କରି କିଛି ଗଛ ବଞ୍ଚାଇବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି।

Share