Categories: ଖେଳ

ଜାତୀୟ ରେକର୍ଡ ସହ ଅବିନାଶଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ଦୋହା, ୬।୧୦(ପି.ଟି.)- ଭାରତର ୩୦୦୦ ମିଟର ଷ୍ଟିପଲଚେଜ୍‌ ଆଥ୍‌ଲେଟ୍‌ ଅବିନାଶ ସାବଲେ ଆସନ୍ତାବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍‌ ଇଭେଣ୍ଟରେ ଅବିନାଶ ନିଜ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। କିନ୍ତୁ ଫାଇନାଲରେ ସେ ତ୍ରୟୋଦଶ ସ୍ଥାନରେ ରହିଥିଲେ ମଧ୍ୟ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିଛନ୍ତି। ଏହି ଦୂରତାକୁ ଅବିନାଶ ୮ ମିନିଟ୍‌ ୨୨ ସେକେଣ୍ଡରେ ଶେଷ କରିଥିଲେ। ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ କେନିଆର କନସେସଲସ୍‌ କିପରୁଟୋ (୮:୦୧.୩୫) ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ। ଇଥିଓପିଆର ଲାମେଚା ଗିର୍‌ମା (୮:୦୧.୩୬) ଓ ମର୍‌କ୍କୋର ସୋଫିଆନେ ବାକ୍‌ଲି (୮:୦୩.୭୬) ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଥିଲେ।
ଏକ କୃଷକ ପରିବାରରୁ ଆସିଥିବା ଅବିନାଶ ଏହି ଦୌଡ଼ ଅବସରରେ ନିଜ ନାମରେ ରହିଥିବା ଜାତୀୟ ରେକର୍ଡକୁ ଟପିଯାଇଛନ୍ତି। ଗୋଟିଏ ଦିନ ପୂର୍ବରୁ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ ହିଟ୍ସରେ ଅବିନାଶ ୮ ମିନିଟ୍‌ ୨୫.୨୩ ସେକେଣ୍ଡରେ ରେସ୍‌ ଶେଷକରି ଜାତୀୟ ରେକର୍ଡକୁ ନିଜ ନାମରେ କରିଥିଲେ। ଏଥିପୂର୍ବରୁ ଗତ ମାର୍ଚ୍ଚରେ ଅନୁଷ୍ଠିତ ଫେଡେରେଶନ କପ୍‌ରେ ସେ ୮:୨୮.୯୪ ସେକେଣ୍ଡ ସହ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ।

Share