Categories: ଖେଳ

ଜାତୀୟ ରେକର୍ଡ ସହ ମିରାବାଈଙ୍କୁ ସ୍ବର୍ଣ୍ଣ

କୋଲକାତା, ୪।୨ (ପି.ଟି.)- ଷ୍ଟାର୍‌ ଭାରତୀୟ ମହିଳା ଭାରୋତ୍ତୋଳିକା ତଥା ପୂର୍ବତନ ବିଶ୍ୱ ବିଜୟିନୀ ମିରାବାଈ ଚାଣୁ ନିଜ ନାମରେ ରହିଥିବା ଜାତୀୟ ରେକର୍ଡକୁ ଭଙ୍ଗ କରିଛନ୍ତି। ଏଠାରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ମଙ୍ଗଳବାର ମିରାବାଈ ମହିଳା ୪୯ କିଗ୍ରା ବର୍ଗରେ ମୋଟ୍‌ ୨୦୩ କିଗ୍ରା ଭାର ଉଠାଇ ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ୨୫ ବର୍ଷୀୟା ମିରାବାଈ ସ୍ନାଚ୍‌ରେ ୮୮ କିଗ୍ରା ଓ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୧୫ କିଗ୍ରା ସହ ମୋଟ୍‌ ୨୦୩ କିଗ୍ରା ଭାରୋତ୍ତୋଳନ କରିଥିଲେ। ଇମ୍ଫାଲ ଜନ୍ମିତ ମିରାବାଈଙ୍କ ଏହି ପ୍ରୟାସ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ତାଙ୍କୁ ଚାଇନାର ଜିଆଙ୍ଗ ହୁଇହୁଆ (୨୧୨ କିଗ୍ରା), ହୋଉ ଝିହୁଇ (୨୧୧ କିଗ୍ରା) ଓ କୋରିଆର ରି ସଙ୍ଗ୍‌ ଗୁମ୍‌ (୨୦୯) ପଛକୁ ୪ର୍ଥ ସ୍ଥାନରେ ରହିଛି। ଗତ ବର୍ଷ ଥାଇଲାଣ୍ଡରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ମୋଟ୍‌ ୨୦୧ ଭାର ଉଠାଇଥିଲେ, ଯାହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।

Share