ଜାତୀୟ ଲୋକମେଳା, କୃଷିମେଳା ଉଦ୍‌ଯାପିତ: ଛବିଳେନ୍ଦ୍ର, ବିମ୍ବାଧର, ରଞ୍ଜିତ, ଶ୍ରୀଧରଙ୍କୁ ଶ୍ରୀକ୍ଷେତ୍ର ସମ୍ମାନ

ପୁରୀ ଅଫିସ, ୨୬।୧୦: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚଠାରେ ୫ଦିନ ବ୍ୟାପି ଚାଲିଥିବା ୧୭ତମ ଲୋକମେଳା(ଜାତୀୟ ଆଦିବାସୀ ଲୋକଗୀତ ଓ ନୃତ୍ୟ ମହୋତ୍ସବ ଏବଂ ହସ୍ତଶିଳ୍ପ ଓ କୁଟୀର ପ୍ରଦର୍ଶନୀ) ଏବଂ ୧୦ମ କୃଷିମେଳା(ଜାତୀୟ କୃଷି ପ୍ରଦର୍ଶନୀ) ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶେଷ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କ୍ୟାପେଟନ ପ୍ରଭାକର ଶତପଥୀ ସଭାପତିତ୍ୱ କରିଥିଲେ। ଅନୁଷ୍ଠାନ ପକ୍ଷରୁ କେନ୍ଦ୍ର ଫଟିଲାଇଜର ବିଭାଗ ସଚିବ ଆଇଏଏସ୍‌ ଛବିଳେନ୍ଦ୍ର ରାଉଳ, ଭାରତ ସରକାରଙ୍କ ଏଡିସିନାଲ ସେକ୍ରେଟାରୀ ଓ ଫାଇନାନ୍ସ ଏଡଭାଇଜର୍‌ ବିମ୍ବାଧର ପ୍ରଧାନ, ମିନେରାଲ ଏକ୍ସପ୍ଲୋରୋସନ ଲିମିଟେଡ, ନାଗପୁରର ପରିଚାଳନା ନିର୍ଦ୍ଦେଶକ ଡ.ରଞ୍ଜିତ ନାଥ ଏବଂ ନାଲକୋ ନିର୍ଦ୍ଦେଶକ(ଫାଇନାନ୍ସ) ଶ୍ରୀଧର ପାତ୍ରଙ୍କୁ ଶ୍ରୀକ୍ଷେତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିିଭିନ୍ନ ରାଜ୍ୟର କଳାନୁଷ୍ଠାନର ମୁଖ୍ୟ ଯଥା ଆନ୍ଧ୍ରପ୍ରଦେଶର ନାଗାବାବୁ, କର୍ଣ୍ଣାଟକର ଲୋ.ଲକ୍ଷ୍ମୀ, ଝାଡ଼ଖଣ୍ଡର ଶଙ୍କର ନାୟକ, ଝିରପା ଭଗତ, ନାଗାଲାଣ୍ଡର ଅଦାମି ଶିବା, ପଞ୍ଜାବର ହରମନ୍‌ ପ୍ରୀତ ସିଂ, ଶ୍ରୀନଗରର ଗୁଲଜାର ଅହମ୍ମଦ, ଛତିଶଗଡ଼ର ଦୀନେଶ ଜାଙ୍ଗଡେ ପ୍ରମୁଖକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ଓଡ଼ିଶା ଓ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପକ୍ଷରୁ ଯୋଗଦାନ କରିଥିବା ସମସ୍ତ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଶିଳ୍ପପତି ତିରୁପତି ପାଣିଗ୍ରାହୀ, ମୁଖ୍ୟ ସଂଯୋଜକ ବଦ୍ରି ମିଶ୍ର, ଉପାଧ୍ୟକ୍ଷ ଭରତ ନାୟକ, କୋଷାଧ୍ୟକ୍ଷ ନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶେଷ ରଜନୀରେ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ପରିବେଷଣ ହୋଇଥିଲା। ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜେଶ ମହାନ୍ତି ସ୍ବାଗତ ଭାଷଣ ଓ ଚନ୍ଦ୍ର ବିଜୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share