ଜାତୀୟ ଶିକ୍ଷାନୀତି ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୨୨।୧୧-ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟିହୀନତା ଦୂରୀକରଣ, ଗର୍ଭବତୀ ଓ ପ୍ରସୂତିଙ୍କର ପୁଷ୍ଟିହୀନତା ଦୂରୀକରଣ ଓ ପ୍ରସୂତିକାଳୀନ ମୃତ୍ୟୁହାର ହ୍ରାସ କରିବାର ଗୁରୁଦାୟିତ୍ୱ ବହନ କରିଆସିଥିବା ଆଇସିଡିଏସ୍‌କୁ ବନ୍ଦ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୧୯ରେ ପ୍ରସ୍ତାବ ରହିଥିବାରୁ ବାଲେଶ୍ୱର ଜିଲା ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ବିରୋଧ କରି ଶୁକ୍ରବାର ପୂର୍ବାହ୍ନରେ ଷ୍ଟେଶନ ଛକ ନିକଟରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳ ଅଫିସ୍‌ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଯାଇଛି।
ସଂଘର ଜିଲା ସଭାନେତ୍ରୀ ପ୍ରତିଭା ପାଲ ଅଧ୍ୟକ୍ଷତା କରିଥିଲେ। ସମାବେଶରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ ଜେନା ଉଦ୍‌ବୋଧନ ଦେଇ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ସଂଘର ଜିଲା ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ ଦାବି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସମାଧାନ ହୋଇ ନ ଥିବା ଅଭିଯୋଗ କରିଥିଲେ। ସମାବେଶରେ ସୁଷମା ପାତ୍ର, ଶାନ୍ତିପ୍ରିୟା ଜେନା, ଅନ୍ନପୂର୍ଣ୍ଣା ପ୍ରଧାନ, ପୂର୍ଣ୍ଣିମା ଦେ, ଅନୁପମା ଗିରି, ନିଶାମଣି ନାୟକ, ଲକ୍ଷ୍ମୀପ୍ରିୟା ମିଶ୍ର, ଜିତାରାଣୀ ସିଂ, ମିନତି ଆଚାର୍ଯ୍ୟ, ରିଙ୍କି ହାଲଦାର, ପ୍ରତିଭା ନାୟକ, ମନୋରମା ପରିଡ଼ା, ମମତା ଦାସମହାପାତ୍ର, ସୁଜାତା ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ। ଓଡ଼ିଶା ଫରେଷ୍ଟ ଉଡ୍‌ ଏଗ୍ରିକଲଚର୍‌ ଆଣ୍ଡ ବିଲ୍‌ଡିଂ କନଷ୍ଟ୍ରକଶନ୍‌ ୱାର୍କର୍ସ ୟୁନିୟନ ପକ୍ଷରୁ ତପନ କୁମାର ସିଟ୍‌ ଏବଂ ଓଡ଼ିଶା ପଥବିକ୍ରେତା ସଂଘ ପକ୍ଷରୁ ମୋହିନୀମୋହନ ପରିଡ଼ା ଏବଂ ଅଭିରାମ ବାରିକ ଏହି ଆନ୍ଦୋଳନକୁ ସମର୍ଥନ କରି ବକ୍ତବ୍ୟ ଦେଇଥିଲେ।