ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲରେ ବାବୁଲା ଦହିବରା ପୁରସ୍କୃତ

କଟକ ଅଫିସ,୧୮ା୧: ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ୧୧ତମ ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଦେଉଳସାହିର ପ୍ରଦୀପ୍ତ କୁମାର ସାହୁ ଓରଫ ବାବୁଲାଙ୍କ ଦହିବରା ଷ୍ଟଲ୍‌ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏଥିପାଇଁ ଉକ୍ତ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି। ଦହିବରା ପାଇଁ ପ୍ରସିଦ୍ଧ କଟକ ସହର ପୁର୍ନବାର ଜାତୀୟ ସ୍ତରରେ ଆଉ ଏକ ନିଆରା ରେକର୍ଡ ସୃଷ୍ଟି କରିଛି।
ଏହି ଫେଷ୍ଟିଭାଲରେ ଦେଶର ସମସ୍ତ ରାଜ୍ୟରୁ ୨୫୦ ଭେରାଇଟିର ଖାଦ୍ୟ ଷ୍ଟଲ ପଡ଼ିଥିଲା, ଯେଉଁଥିରେ ଓଡ଼ିଶାର ରହିଥିଲା ମାତ୍ର ଦୁଇଟି ଷ୍ଟଲ। ବାବୁଲା ଦହିବରା ଷ୍ଟଲ ପକାଇଥିବା ବେଳେ ଆଉ ଏକ ମିଠା ଷ୍ଟଲ ଥିଲା। ବାବୁଲାଙ୍କ ଦହିବରାର ଭିଡ଼ିଓ ୟୁ-ଟ୍ୟୁବରେ ଭାଇରାଲ ହୋଇଥିବାରୁ ଫେଷ୍ଟିଭାଲ ଆୟୋଜକ ଫୋନ୍‌ ଯୋଗେ ତାଙ୍କ ସହ ଯୋଗାଯୋଗ କରିଥିଲେ। ପରେ ନୂଆଦିଲ୍ଲୀରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାଗ ନେବାକୁ କହିଥିଲେ। ଦହିବରା, ଘୁଗୁନି ଓ ଆଳୁଦମ୍‌ ପରଷି ବାବୁଲା ରାଜ୍ୟ ପାଇଁ ଏହି ଗୌରବ ଆଣିଛନ୍ତି। ସେଠାରେ ଖାଦ୍ୟ ତିଆରି କରିବା ଓ ପରଷିବା କ୍ଷେତ୍ରରେ ପରିଷ୍କାର ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିଲା। ଏପରିକି ସିସିଟିଭି କ୍ୟାମେରାରେ ସମସ୍ତ କାର୍ଯ୍ୟକୁ ଆୟୋଜକ ନଜର ରଖୁଥିଲେ ବୋଲି ବାବୁଲା କହିଛନ୍ତି। ସୂଚନାଥାଉ କି, ବାବୁଲା ଦୀର୍ଘ ୩୦ବର୍ଷ ହେବ ଦେଉଳସାହିରେ ଦହିବରା ବ୍ୟବସାୟ କରୁଛନ୍ତି। ପ୍ରଥମେ ସାଇକେଲରେ ବୁଲି ବୁଲି ସେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ହେଲେ ଏବେ ଠେଲାଗାଡ଼ିରେ ଦହିବରା ବିକ୍ରି କରୁଛନ୍ତି। ବ୍ୟବସାୟରେ ସ୍ତ୍ରୀ ମଲ୍ଲିକାରାଣୀ ସାହୁ, ପୁଅ ଚିନ୍ମୟ ସାହୁ ଓ ଝିଅ ବିଜୟଲକ୍ଷ୍ମୀ ସାହୁ ସହଯୋଗ କରନ୍ତି ବୋଲି ବାବୁଲା କହିଛନ୍ତି।

Share