Categories: ଖେଳ

ଜାତୀୟ ସବ୍‌ଜୁନିୟର ଟେନିସ କ୍ରିକେଟ: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)-
ଜାତୀୟ ସବ୍‌ଜୁନିୟର ଟେନିସ କ୍ରିକେଟର ୪ର୍ଥ ସଂସ୍କରଣ ସୋମବାର ଉଜ୍ଜୟିନୀରେ ଉଦ୍‌ଯାପିତ ହୋଇଛି। ଏହାର ଫାଇନାଲରେ ଝାଡ଼ଖଣ୍ଡକୁ ୬୬ ରନରେ ହରାଇ ଓଡ଼ିଶା ପ୍ରଥମଥର ପାଇଁ ଚାମ୍ପିୟନ ହୋଇଛି। ଟସ୍‌ ଜିତିଥିବା ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୩ ଉଇକେଟ ହରାଇ ୧୨୮ ରନ କରିଥିଲା। ଜବାବରେ ଝାଡ଼ଖଣ୍ଡ ପୂରା ଓଭର ଖେଳିଥିଲେ ହେଁ ୬ ଉଇକେଟ ହରାଇ ୬୨ ରନ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶାର ସୌନୁପ ସୁନା ଅଲରାଉଣ୍ଡ(୩୪ ରନ ଏବଂ ୨ ଉଇକେଟ) ପ୍ରଦର୍ଶନ କରି ପ୍ଲେୟର ଅଫ୍‌ ଦି ଫାଇନାଲ ବିବେଚିତ ହୋଇଥିଲେ। କେବଳ ସେତିକି ନୁହେଁ ସେ ମୋଟ ୨୧୪ ରନ ଏବଂ ୬ ଉଇକେଟ ନେଇ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ପୁରସ୍କାର ପାଇଥିଲେ। ଓଡ଼ିଶାର ମହମ୍ମଦ ଇରସାଦ ମୋଟ ୧୪ ଉଇକେଟ ନେଇ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। ଲିଗ୍‌ ପର୍ଯ୍ୟାୟରେ ଆନ୍ଧ୍ର ପ୍ରଦେଶ, ଡାମନ ଡିୟୁ, ହରିୟାଣା ଏବଂ ଗୁଜରାଟକୁ ହରାଇଥିବା ଓଡ଼ିଶା ସେମିଫାଇନାଲରେ ଦିଲ୍ଲୀକୁ ୯ ଉଇକେଟରେ ହରାଇ ଦେଇଥିଲା। ପ୍ରଥମଥର ପାଇଁ ଚାମ୍ପିୟନ ହୋଇଥିବାରୁ ଓଡ଼ିଶା ଦଳକୁ ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ ସମ୍ପାଦକ ରିଣ୍ଟୁ ମିତ୍ର, ସହସମ୍ପାଦକ ସୋଭେନ ମହାରଣା, ଉପସଭାପତି ଦୀପକ ହଂସ, ମହମ୍ମଦ ଆଜାମ, ରାଜେନ୍ଦ୍ର ମହାରଣା, ଉପଦେଷ୍ଟା ଅଖିଲେଶ ତିଓ୍ବାରୀ, କୋଷାଧ୍ୟକ୍ଷ ରାଗୀଣୀ ମିତ୍ର, ସଦସ୍ୟ ସୁଧାକର ମୁଦୁଲି, ବଦ୍ରିନାରାୟଣ ପାତ୍ର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Share