Categories: ଖେଳ

ଜାତୀୟ ସବ୍‌ଜୁନିୟର ବାସ୍କେଟବଲ୍‌: ରାଜସ୍ଥାନ, ତାମିଲନାଡୁ କ୍ବାର୍ଟର ଫାଇନାଲରେ

କଟକ ଅଫିସ,୬ା୯- କଟକରେ ଚାଲିଥିବା ୪୬ତମ ଜାତୀୟ ସବଜୁନିୟର ବାସ୍କେଟବଲ ଚାମ୍ପିୟନଶିପର ବାଳକ ବର୍ଗରେ ରାଜସ୍ଥାନ ଓ ବାଳିକା ବର୍ଗରେ ତାମିଲନାଡୁ କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି। ବାଳକ ବର୍ଗର ପୁଲ-ବିରେ ସ୍ଥାନ ପାଇଥିବା ରାଜସ୍ଥାନ ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ୬୨-୫୦ ପଏଣ୍ଟରେ ପଞ୍ଜାବକୁ ପରାସ୍ତ କରିଛି । ଲଗାତର ୩ୟ ବିଜୟ ସହ ଏହି ଦଳ କ୍ବାର୍ଟରରେ ପ୍ରବେଶ କରିଛି। ସେହିପରି ବାଳିକା ବର୍ଗର ପୁଲ-ବିରେ ଥିବା ତାମିଲନାଡୁ ଗୁରୁବାର ଦିଲ୍ଲୀ ବିପକ୍ଷରେ ବୃହତ୍‌ ବିଜୟ ହାସଲ କରିଛି । ଦିଲ୍ଲୀକୁ ୮୪-୪୫ ପଏଣ୍ଟରେ ହରାଇଥିଲା ତାମିଲନାଡୁ । ତାମିଲନାଡୁ ବାଳିକା ଦଳର ମଧ୍ୟ ଏହା ଥିଲା ହ୍ୟାଟ୍ରିକ ବିଜୟ। ପ୍ରତିଯୋଗିତାର ୩ୟ ଦିବସ ଖେଳ ଶେଷ ସୁଦ୍ଧା ଏହି ଦୁଇ ଦଳ କ୍ବାର୍ଟରରେ ସ୍ଥାନ ସୁରକ୍ଷିତ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଲୋୟର ପୁଲକୁ ଖସି ସାରିଥିବା ଓଡ଼ିଶା ବାଳକ ଦଳ ଗୁରୁବାର ଲିଗ ମ୍ୟାଚ୍‌ରେ ପୁଡୁଚେରୀକୁ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ଓଡ଼ିଶା ୯୪-୨୬ ପଏଣ୍ଟରେ ବିଜୟୀ ହୋଇଛି । ଓଡ଼ିଶା ପକ୍ଷରୁ ଶ୍ରେୟାଂଶ ପଣ୍ଡା ସର୍ବାଧିକ ୨୮ ପଏଣ୍ଟ ସ୍କୋର କରିଛନ୍ତି।
ବାଳକ ବର୍ଗର ଅନ୍ୟ ମ୍ୟାଚ୍‌ରେ ବିହାର ୭୦-୬୫ ପଏଣ୍ଟରେ ମହାରାଷ୍ଟ୍ରକୁ, ପଞ୍ଜାବ ୬୪-୪୫ ପଏଣ୍ଟରେ ଆନ୍ଧ୍ରପ୍ରଦେଶକୁ, ଚଣ୍ଡିଗଡ଼ ୫୮-୫୬ ପଏଣ୍ଟରେ କେରଳକୁ, ଛତିଶଗଡ଼ ୬୧-୪୮ ପଏଣ୍ଟରେ କର୍ନାଟକକୁ, ମଧ୍ୟପ୍ରଦେଶ ୪୫-୧୫ ପଏଣ୍ଟରେ ହିମାଚଳପ୍ରଦେଶକୁ, ମିଜୋରାମ ୫୮-୧୮ ପଏଣ୍ଟରେ ଦିଲ୍ଲୀକୁ, ରାଜସ୍ଥାନ ୬୨-୫୦ ପଏଣ୍ଟରେ ପଞ୍ଜାବକୁ, ତାମିଲନାଡୁ ୭୭-୬୯ ପଏଣ୍ଟରେ ଉତ୍ତରପ୍ରଦେଶକୁ ପରାସ୍ତ କରିଛି। ବାଳିକା ବର୍ଗର ମ୍ୟାଚ୍‌ରେ ତାମିଲନାଡୁ ୮୪-୪୫ ପଏଣ୍ଟରେ ଦିଲ୍ଲୀ, ଉତ୍ତରପ୍ରଦେଶ ୮୬-୪୪ ପଏଣ୍ଟରେ ରାଜସ୍ଥାନକୁ, ଚଣ୍ଡିଗଡ଼ ୩୧-୧୪ ପଏଣ୍ଟରେ ଉତ୍ତରାଖଣ୍ଡକୁ, କର୍ନାଟକ ୩୮-୨୪ ପଏଣ୍ଟରେ ହରିୟାଣାକୁ, ହିମାଚଳପ୍ରଦେଶ ୩୨-୮ ପଏଣ୍ଟରେ ବିହାରକୁ, ପଶ୍ଚିମବଙ୍ଗ ୫୩-୧୮ ପଏଣ୍ଟରେ ପୁଡୁଚେରିକୁ, କର୍ନାଟକ ୬୮-୪୦ ପଏଣ୍ଟରେ କେରଳକୁ ହରାଇଛି ।

Share