Categories: ଖେଳ

ଜାତୀୟ ସବ୍‌ଜୁନିୟର ବ୍ୟାଡମିଣ୍ଟନ: ମାନ୍ୟା ଅଭ୍‌ଲାନୀଙ୍କୁ ହରାଇଲେ ଅଶିତା

ଭୁବନେଶ୍ୱର, ୨୦।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମ ଏବଂ ସହିଦ ନଗରସ୍ଥିତ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ଗୁରୁବାର ସହିଦ ନଗର ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ ୧୫ ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସରେ କର୍ନାଟକର ଅଶିତା ସିଂ ତୃତୀୟ ସିଡ୍‌ ମହାରାଷ୍ଟ୍ରର ମାନ୍ୟା ଅଭ୍‌ଲାନୀଙ୍କୁ ୨୧-୧୮, ୨୧-୧୯ରେ ହରାଇ ବଡ଼ ସଫଳତା ପାଇଛନ୍ତି। ଟପ୍‌ ସିଡ୍‌ ତଥା ଏସିଆନ ଜୁନିୟର ରନର୍ସଅପ୍‌ ମହାରାଷ୍ଟ୍ରର ତାହା ଶାହ କିନ୍ତୁ ପ୍ରି-କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ସେ ରାଜସ୍ଥାନର ଅଂଶିକା କୁମାଓ୍ବତଙ୍କୁ ୨୧-୧୮, ୨୧-୧୮ ପଏଣ୍ଟରେ ପରାସ୍ତ କରିଛନ୍ତି। ସେହିପରି ଦ୍ୱିତୀୟ ସିଡ୍‌ ହରିୟାଣାର ଅନୁପମା ଉପାଧ୍ୟାୟ ଏବଂ ଚତୁର୍ଥ ସିଡ୍‌ ପଞ୍ଜାବର ରାଧିକା ଶର୍ମା ମଧ୍ୟ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନୁପମା ଆନ୍ଧ୍ରପ୍ରଦେଶର କେ. ପେରାମ୍ବୁରିଙ୍କୁ ୨୧-୧୧, ୨୧-୧୩ରେ ଏବଂ ରାଧିକା ତାମିଲନାଡ଼ୁର ଶୃତି ଡି.ଭି.ଙ୍କୁ ୨୧-୧୦, ୨୧-୧୮ରେ ହରାଇ ଦେଇଛନ୍ତି। ଆସାମର ୟୋହେନ୍‌ବା ସିଂଙ୍କଠାରୁ ଓ୍ବାକଓଭର ପାଇଁ ଟପ୍‌ ସିଡ୍‌ ହରିୟାଣାର ରାଘବ ୧୫ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ୧୭ ବର୍ଷରୁ କମ୍‌ ମିକ୍ସଡ ଡବଲ୍ସରେ ଆସାମର ଆୟନ ରଶିଦ ଓ ଗୁଜରାଟର ତସନିମ ମିର ଯୋଡ଼ି ରାଜସ୍ଥାନର ହର୍ଷିତ ଗୁପ୍ତ ଓ ଛତିଶଗଡ଼ର ଜସମିନ ରାଓ୍ବତଙ୍କୁ ୨୧-୧୪, ୨୧-୧୩ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Share