Categories: ଖେଳ

ଜାତୀୟ ସବ୍‌- ଜୁନିୟର ବ୍ୟାଡମିଣ୍ଟନ: ଟାଇଟଲ ନିକଟତର ଶ୍ୱେତପର୍ଣ୍ଣା

ଭୁବନେଶ୍ୱର,୨୨।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଇଷ୍ଟ କୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୟୋନେକ୍ସ – ସନରାଇଜ୍‌ ୩୩ତମ ଜାତୀୟ ସବ୍‌- ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଉଦୀୟମାନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ଟାଇଟଲର ନିକଟତର ହୋଇଛନ୍ତି। ୧୫ ବର୍ଷରୁ କମ୍‌ ମିକ୍ସ ଡବଲ୍ସ ଇଭେଣ୍ଟରେ ସେ ଶନିବାର ଫାଇନାଲରେ ପ୍ରବେଶ କରି ଟାଇଟଲ ହାସଲରୁ ଆଉ ଗୋଟିଏ ପାଦ ଦୂରରେ ରହିଛନ୍ତି। ସେମିଫାଇନାଲ ମ୍ୟାଚ୍‌ରେ ଟପ୍‌ ସିଡ ମାନ୍ୟତା ପାଇଥିବା ଶ୍ୱେତପର୍ଣ୍ଣା ଓ ତାଙ୍କ ତେଲଙ୍ଗାନା ପାର୍ଟନର ସାତ୍ତ୍ୱକ ରେଡ୍ଡୀ କେ ଆଧିପତ୍ୟ ବିସ୍ତାର କରି ୨୧-୧୭, ୨୧-୧୩ରେ ଚତୁର୍ଥ ସିଡ ହରିୟାଣା ଯୋଡି ମୟଙ୍କ ରାଣା ଓ ଉନ୍ନାତି ହୁଦାଙ୍କୁ ହରାଇ ଫାଇନାଲକୁ ଉଠିଛନ୍ତି।
ଟାଇଟଲ ପାଇଁ ଫାଇନାଲରେ ଶ୍ୱେତପର୍ଣ୍ଣା ଓ ସାତ୍ତ୍ୱିକ ରବିବାର ତୃତୀୟ ସିଡ୍‌ ଚଣ୍ଡିଗଡ଼- ହାରିୟାଣା ଯୋଡି ସମରବୀର ଓ ରିଜିଲ ସଇନିଙ୍କୁ ଭେଟିବେ। ସମରବୀର ଓ ରିଜିଲ ସେମିରେ ହାରିୟାଣା ଯୋଡି ସନ୍ନୀ ନୋହରା ଇ ମୁସକାନ ସାଙ୍ଗଓ୍ବାନଙ୍କୁ ୨୧-୧୨, ୨୧-୧୪ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ୧୭ ବର୍ଷରୁ କମ୍‌ ବାଳକ ଡବଲ୍ସ ଇଭେଣ୍ଟରେ ଓଡ଼ିଶାର ଆୟୁଷ ପଟ୍ଟନାୟକ ସେମିରେ ପ୍ରବେଶ କରିଛନ୍ତି। ସେ ଓ ତାଙ୍କ କର୍ନାଟକ ପାର୍ଟନର ଭି. ସୁହାସ ପ୍ରତିପକ୍ଷ ତେଲଙ୍ଗାନା- ଆସାମ ଯୋଡି ଉନିତ କ୍ରିଷ୍ଣା ବିଭି ଓ ଆୟାନ ରଶିଦଙ୍କୁ ୧୮-୨୧, ୨୧-୮, ୨୧-୧୯ରେ ପରାସ୍ତ କରିଛନ୍ତି। ଅପରପକ୍ଷରେ ୧୭ ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସ ବିଭାଗରେ ମହରାଷ୍ଟ୍ରର ତାରା ସାହା ଓ ଉତ୍ତର ପ୍ରଦେଶର ମାନସୀ ସିଂ ଫାଇନାଲରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ସେମିରେ ଟପ୍‌ ସିଡ ମାନସୀ ହାରିୟାଣାର ବିଜେତା ହରିଶଙ୍କୁ ୨୧-୮, ୧୮- ୨୧, ୨୧-୧୩ରେ ପରାସ୍ତ କରିଥିଲେ। ସେହିପରି ଚତୁର୍ଥ ସିଡ ତାରା ୨୧-୧୩, ୨୧-୧୯ରେ ସପ୍ତମ ସିଡ ଉତ୍ତର ପ୍ରଦେଶର ତନୀଶା ସିଂଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି।

Share