Categories: ଖେଳ

ଜାତୀୟ ସିନିୟର ଖୋଖୋ: ଓଡିଶା ମହିଳା ଦଳକୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)-
ଛତିଶଗଡରେ ଅନୁଷ୍ଠିତ ୫୩ତମ ଜାତୀୟ ସିନିୟର ଖୋଖୋ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ ଓଡ଼ିଶା ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଥମଥର ପାଇଁ ଓଡ଼ିଶା ଦଳ ସେମିଫାଇନାଲରେ ପ୍ରବେଶ କରି ଏୟାରପୋର୍ଟ ଅଥୋରିଟି ଅଫ୍‌ ଇଣ୍ଡିଆ ସହ ମୁକାବିଲା କରିଥିଲା। ଏଥିରେ ଓଡିଶା ୪ ପଏଣ୍ଟ ହାସଲ କରିଥିବା ବେଳେ ଏୟାରପୋର୍ଟ ଅଥୋରିଟି ଅଫ୍‌ ଇଣ୍ଡିଆ ୮ ପଏଣ୍ଟହାସଲ କରି ବିଜୟୀ ହୋଇଥିଲା। ପରବର୍ତ୍ତୀ ମ୍ୟାଚରେ କୋହ୍ଲାପୁରକୁ ହରାଇ ଓଡିଶା ତୃତୀୟ ସ୍ଥାନ ଅଧିକାର କରିଥିଲା। ଏହି ମ୍ୟାଚରେ ସସ୍ମିତା ନାଥ ଶର୍ମା ୧ ମି ୫୦ ସେକେଣ୍ଡ ରନିଂ କରିଥିବା ବେଳେ ସାବିଲା ଖାତୁନ ୧ମି ୫୦ ସେକେଣ୍ଡ ଓ ୧ ପଏଣ୍ଟ, ମନ୍ଦାକିନୀ ମାଝୀ ୫୦ ସେକେଣ୍ଡ ରନିଂ ଓ ୧ ପଏଣ୍ଟ, ସବନମ୍‌ ଖାତୁନ ୧ ମିନିଟ ୪୦ ସେକେଣ୍ଡ ରନିଂ, ମଧୁସ୍ମିତା ଓଝା ୧ମି ୩୦ ସେ ଓ ୧ ପଏଣ୍ଟ, ମାଗାଇ ମାଝୀ ୧ ପଏଣ୍ଟ ହାସଲ କରିଛନ୍ତି ବୋଲି ଓଡ଼ିଶା ଖୋ ଖୋ ଆସୋସିଏସନର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ପ୍ରକାଶ କରିଛନ୍ତି। ଏହି ଦଳର ଅନ୍ୟ ଖେଳାଳି ହେଲେ ଆଶା ମାରାଣ୍ଡୀ, ପ୍ରିୟଙ୍କା ସିଂ, ଶିବାନୀ ଗମାଙ୍ଗୋ, ରିତା ବାରିକ, ଶୁଭଶ୍ରୀ ସିଂ, ଅର୍ଚ୍ଚନା ମାଝୀ। କୋଚ ପ୍ରଶାନ୍ତ ମଲ୍ଲିକ ଓ ମ୍ୟାନେଜର ଏଲିନା ଖୁଣ୍ଟିଆ ଦାୟିତ୍ୱ ନିର୍ବାହ କରିଥିଲେ। ଓଡିଶା ପୁରୁଷ ଦଳ ପ୍ରିକ୍ୱାଟରରେ ବିଦର୍ଭଠାରୁ ହାରି ନବମରେ ରହିଥିଲା।

Share