Categories: ଖେଳ

ଜାତୀୟ ସିନିୟର ଫୁଟବଲ ସେମିଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)- ଅରୁଣାଚଳ ପ୍ରଦେଶର ପାସିଘାଟସ୍ଥିତ ସିଏଚଏଫ ଗ୍ରାଉଣ୍ଡରେ ଚାଲିଥିବା ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଓଡ଼ିଶା ୫-୦ ଗୋଲରେ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି। ଗତଥରର ଫାଇନାଲିଷ୍ଟ ଓଡ଼ିଶା ପକ୍ଷରୁ ଦୀପା ନାୟକ ୧୬ ଓ ୭୪, ରୁନି ନାୟକ ୩୯, ଯସୋଦା ମୁଣ୍ଡା ୪୫+୧ ଏବଂ ସୁମିତ୍ରା ଖାଲ୍‌କୋ ୭୧ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଷ୍ଟାଡିୟମରେ ଉପସ୍ଥିତ ୭୦୦୦ ଦର୍ଶକଙ୍କ ସମର୍ଥନ ସତ୍ତ୍ୱେ ଅରୁଣାଚଳ ପ୍ରଦେଶ ପ୍ରତିପକ୍ଷ ଓଡ଼ିଶାକୁ ଟକ୍କର ଦେଇପାରି ନ ଥିଲା। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୩-୦ ଗୋଲରେ ଅଗ୍ରଣୀ ରହିଥିବା ଓଡ଼ିଶା ଦ୍ୱିତୀୟାର୍ଦ୍ଧରେ ଆଉ ୨ଟି ଗୋଲ ଦେଇଥିଲା। କ୍ୱାର୍ଟର ଫାଇନାଲ ମ୍ୟାଚ ଗୁଡ଼ିକ ଶେଷ ହେବାପରେ ସେମିଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ୨୨ ତାରିଖରେ ପ୍ରଥମ ସେମିଫାଇନାଲରେ ରେଲଓ୍ବେକୁ ଭେଟିବ ଓଡ଼ିଶା। ସେହିଦିନ ତାମିଲନାଡ଼ୁ ଓ ମଣିପୁର ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ ହେବ। ଶୁକ୍ରବାର ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ମଣିପୁର ୧୫-୨ ଗୋଲରେ ଝାଡ଼ଖଣ୍ଡକୁ ହରାଇ ଦେଇଥିଲା। ମଣିପୁର ପକ୍ଷରୁ ଅଧିନାୟିକା ବାଲା ଦେବୀ ଏକାକୀ ୧୦(୮, ୧୬, ୨୬, ୩୧, ୩୩, ୩୫, ୪୭, ୫୨, ୭୭ ଓ ୮୪ତମ ମିନିଟ)ଟି ଗୋଲ ସ୍କୋର କରିଥିଲେ। ଦୟା ଦେବୀ ୪ଟି ଓ ପ୍ରେମେଶ୍ୱରୀ ଗୋଟିଏ ଗୋଲ ଦେଇଥିଲେ।

Share