Categories: ଖେଳ

ଜାତୀୟ ସିନିୟର ଭଲିବଲ: ଓଡ଼ିଶା ପୁରୁଷ ଦଳର କ୍ରମାଗତ ତୃତୀୟ ବିଜୟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶାର ଦଳର ଭଲ ପ୍ରଦର୍ଶନ ଅବ୍ୟାହତ ରହିଛି। ଶୁକ୍ରବାର ତୃତୀୟ ଦିବସରେ ଓଡ଼ିଶା ଦଳ ୩-୨ ସେଟ୍‌ରେ ଚଣ୍ଡିଗଡ଼କୁ ପରାସ୍ତ କରିଛି। ଏହାକୁ ମିଶାଇ ଓଡ଼ିଶା କ୍ରମାଗତ ତୃତୀୟ ବିଜୟ ସହ ହ୍ୟାଟ୍ରିକ କରିଛି। ପୂର୍ବ ୨ ମ୍ୟାଚରେ ଦଳ ଯଥାକ୍ରମେ ତ୍ରିପୁରାକୁ ୩-୦ ଓ ପଣ୍ଡିଚେରୀକୁ ୩-୦ ସେଟ୍‌ରେ ପରାସ୍ତ କରିଥିଲା। ଶୁକ୍ରବାର ଅନୁଷ୍ଠିତ ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ରାଜସ୍ଥାନ ୩-୦ରେ ଦିଲ୍ଲୀ, ଛତିଶଗଡ଼ ୩-୦ରେ ତ୍ରିପୁରା, ଜମ୍ମୁ କଶ୍ମୀର ୩-୦ରେ ପଣ୍ଡିଚେରୀ, ଗୁଜରାଟ ୩-୦ରେ ଝାଡ଼ଖଣ୍ଡ, ଆସାମ ୩-୦ରେ ମିଜୋରାମ ଓ ପଶ୍ଚିମବଙ୍ଗ ୩-୦ ସେଟ୍‌ରେ ମଣିପୁରକୁ ପରାସ୍ତ କରିଛି।
ମହିଳା ଦଳର ଦ୍ୱିତୀୟ ପରାଜୟ
ଓଡ଼ିଶା ମହିଳା ଦଳ କିନ୍ତୁ ଦ୍ୱିତୀୟ ପରାଜୟ ବରଣ କରିଛି। ଦ୍ୱିତୀୟ ଦିବସରେ ପଣ୍ଡିଚେରୀକୁ ୩-୦ରେ ପରାସ୍ତ କରିଥିବା ଓଡ଼ିଶା ତୃତୀୟ ଦିବସରେ ସେହି ପ୍ରଦର୍ଶନକୁ ଦୋହରାଇ ପାରିନାହିଁ। ଦଳ ୦-୩ ସେଟ୍‌ରେ ଉତ୍ତର ପ୍ରଦେଶ ନିକଟରୁ ହାରି ଯାଇଛି। ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ଝାଡ଼ଖଣ୍ଡ ୩-୦ରେ ଜମ୍ମୁ କଶ୍ମୀର, ପଞ୍ଜାବ ୩-୧ରେ ଛତିଶଗଡ଼, ଗୁଜରାଟ ୩-୦ରେ ତ୍ରିପୁରା, ଚଣ୍ଡିଗଡ଼ ୩-୦ରେ ପଣ୍ଡିଚେରୀ ଓ କେରଳ ୩-୦ରେ କର୍ନାଟକକୁ ହରାଇ ଦେଇଛି।

Share