Categories: ଖେଳ

ଜାତୀୟ ସିନିୟର ୫-ଏ-ସାଇଡ୍‌ ମହିଳା ହକି: ଓଡ଼ିଶା-ହରିୟାଣା ସେମିଫାଇନାଲ

ଭୁବନେଶ୍ୱର, ୨୬।୯ (ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତରପ୍ରଦେଶ କାନପୁରସ୍ଥିତ ଗ୍ରୀନ ପାର୍କ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ହକି ଇଣ୍ଡିଆ ୫-ଏ-ସାଇଡ୍‌ ମହିଳା ହକି ଟୁର୍ନାମେଣ୍ଟରେ ଓଡ଼ିଶା ଦଳ ସେମିଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ ଓଡ଼ିଶା ପେନାଲ୍ଟି ଶୁଟ୍‌ଆଉଟ୍‌ରେ ୩-୨ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ଶୁକ୍ରବାର ଖେଳାଯିବାକୁ ଥିବା ୨ୟ ସେମିଫାଇନାଲରେ ହରିୟାଣାକୁ ଭେଟିବ ଓଡ଼ିଶା। ସେହିଭଳି ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ।
ଓ ମହାରାଷ୍ଟ୍ର ମଧ୍ୟରେ ଖେଳାଯାଇଥିବା ୩ୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚ୍‌ ଆରମ୍ଭରୁ ମହାରାଷ୍ଟ୍ର ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା। ମ୍ୟାଚ୍‌ର ୫ମ ମିନିଟ୍‌ରେ ପ୍ରୀତି ଦୁବେ ଏକ ଫିଲ୍ଡ ଗୋଲ ଜରିଆରେ ମହାରାଷ୍ଟ୍ରକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଏହାପରେ ଓଡ଼ିଶା ମହିଳା ଦଳର ଖେଳାଳିମାନେ ମ୍ୟାଚ୍‌କୁ ବରାବର୍‌ ସ୍ଥିତିକୁ ଆଣିବାକୁ ଜୋର୍‌ଦାର ପ୍ରୟାସ କରି ଶେଷରେ ସଫଳ ହୋଇଥିଲେ। ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ପ୍ରେମିତା ବାରାଙ୍କ ଫିଲ୍ଡ ଗୋଲ ବଳରେ ଓଡ଼ିଶା ୧-୧’ର ସମାନସ୍ତରକୁ ଆଣିଥିଲା। ଏହାପରେ ଅନ୍ତିମ ସମୟ ପର୍ଯ୍ୟନ୍ତ ଉଭୟ ଦଳ ଆଉ ଗୋଲସ୍କୋର କରିବାରେ ବିଫଳ ହେବାରୁ ମ୍ୟାଚ୍‌ ୧-୧ରେ ଟାଇରେ ସମାପ୍ତ ହୋଇଥିଲା। ଫଳରେ ରେଫରି ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‌ଆଉଟ୍‌ର ସହାୟତା ନେଇଥିଲେ। ପେନାଲ୍ଟି ଶୁଟ୍‌ଆଉଟ୍‌ର ୪ର୍ଥ ଶଟ୍‌ ପର୍ଯ୍ୟନ୍ତ ଉଭୟ ଓଡ଼ିଶା ଓ ମହାରାଷ୍ଟ୍ର ୨-୨ ସମାନ ସ୍ତରରେ ରହିଥିଲେ। କିନ୍ତୁ ମହାରାଷ୍ଟ୍ର ପକ୍ଷରୁ ଅନ୍ତିମ ଶଟ୍‌ ମାରିଥିବା ପ୍ରୀତି ଦୁବେ ଗୋଲ୍‌ସ୍କୋର କରିବାରେ ବିଫଳ ହୋଇଥିଲେ। ଏହାପରେ ଓଡ଼ିଶାର ଅନ୍ତିମ ଶଟ୍‌ ମାରିବାକୁ ଜାହ୍ନବୀ ପ୍ରଧାନ ଆସିଥିଲେ। ସେ କୌଣସି ତ୍ରୁଟି ନ କରି ବଲ୍‌କୁ ନେଟ୍ସ ମଧ୍ୟକୁ ପଠାଇ ଓଡ଼ିଶା ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ଓଡ଼ିଶା ମ୍ୟାଚ୍‌କୁ ୩-୨ରେ ଜିତି ସେମିଫାଇନାଲ ଟିକେଟ୍‌ ହାସଲ କରିଥିଲା।
ଦିବସରେ ଖେଳାଯାଇଥିବା ଅନ୍ୟ ୩ଟି କ୍ୱାର୍ଟର ଫାଇନାଲରେ ହରିୟାଣା, ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ହରିୟାଣା ୮-୦ ଗୋଲରେ ତାମିଲନାଡ଼ୁକୁ, ଆୟୋଜକ ଉତ୍ତରପ୍ରଦେଶ ୪-୦ ଗୋଲରେ ପଞ୍ଜାବକୁ ଏବଂ ଝାଡ଼ଖଣ୍ଡ ୪-୧ ଗୋଲରେ କର୍ନାଟକକୁ କ୍ୱାର୍ଟର ଫାଇନାଲରେ ହରାଇଛନ୍ତି। ଶୁକ୍ରବାର ସକାଳେ ସେମିଫାଇନାଲ ସହ ଅପରାହ୍ନରେ ଫାଇନାଲ ଓ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳାଯିବ ବୋଲି ଜଣାପଡ଼ିଛି।

Share