Categories: ଖେଳ

ଜାତୀୟ ସିନିୟର ୫-ଏ-ସାଇଡ୍‌ ହକି: ହରିୟାଣା ଚାମ୍ପିୟନ

ଭୁବନେଶ୍ୱର, ୨୭।୯(କ୍ରୀଡ଼ା ପ୍ରତିନିଧି)- କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ୫-ଏ-ସାଇଡ୍‌ ହକି (ମିଳିତ ମହିଳା-ପୁରୁଷ) ପ୍ରଦର୍ଶନୀ ଟୁର୍ନାମେଣ୍ଟର ସେମିଫାଇନାଲରେ ଓଡ଼ିଶା ପରାଜିତ ହୋଇଛି। ଫାଇନାଲରେ ଉତ୍ତରପ୍ରଦେଶକୁ ୫-୪ ଗୋଲରେ ହରାଇ ହରିୟାଣା ଚାମ୍ପିୟନ ହୋଇଛି।
ପ୍ରଥମ ସେମିଫାଇନାଲରେ ହରିୟାଣା ନିକଟରୁ ଓଡ଼ିଶା ୩-୬ ଗୋଲରେ ହାରି ଯାଇଥିଲା। ହରିୟାଣା ପକ୍ଷରୁ ଅନୁ ୧ ଓ ୩, ପ୍ରଦୀପ ମୋର ୪, ୧୪ ଏବଂ ଅଧିନାୟକ ମନଦୀପ ଆଣ୍ଟିଲ ୧୭ ଓ ୧୮ତମ ମିନିଟରେ ୨ଟି ଲେଖାଏ ଗୋଲ ଦେଇଥିଲେ। ଓଡ଼ିଶା ପକ୍ଷରୁ ସୁଶୀଲ ଧନଓ୍ବାର ୧୦, ଆଲବର୍ଟ ଟେଟେ ୧୩ ଓ ପ୍ରସାଦ କୁଜୁର ୧୮ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ। ଦ୍ୱିତୀୟ ସେମିଫାଇନାଲରେ ଉତ୍ତର ପ୍ରଦେଶ ୮-୪ ଗୋଲରେ କର୍ନାଟକକୁ ହରାଇ ଦେଇଥିଲା। ଫାଇନାଲଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧରେ ୪ଟି ଗୋଲ ଦେଇ ହରିୟାଣା ଡ୍ରାଇଭର ସିଟ୍‌ରେ ବସିଥିଲେ ହେଁ ଉତ୍ତର ପ୍ରଦେଶ ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ରୋମାଞ୍ଚକ କରିଥିଲା। ମାତ୍ର ଶେଷରେ ଗୋଟିଏ ଗୋଲ ବ୍ୟବଧାନରେ ବାଜି ମାରିଥିଲା ହରିୟାଣା। ହରିୟାଣା ପକ୍ଷରୁ ପ୍ରଦୀପ ମୋର(୨,୧୮), ଦୀପିକା (୭, ୮) ଓ ମନଦୀପ (୪) ଏବଂ ଉତ୍ତର ପ୍ରଦେଶ ପକ୍ଷରୁ ରାଜ କୁମାର ପାଲ(୧୨, ୧୩, ୧୭) ଏବଂ ଅଧିନାୟକ ମହମ୍ମଦ ଅମିର ଖାଁ (୧୯୦ ଗୋଲ ସ୍କୋର କରିଥିଲେ।

Share