Categories: ଖେଳ

ଜାତୀୟ ସିନିୟର ୫-ଏ-ସାଇଡ୍‌ ହକି: ହରିୟାଣା, କର୍ନାଟକ ଚାମ୍ପିୟନ

କାନ୍‌ପୁର, ୨୮।୯-
ସ୍ଥାନୀୟ ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ୫-ଏ-ସାଇଡ୍‌ ହକି ଟୁର୍ନାମେଣ୍ଟର ମହିଳା ବିଭାଗରେ ହରିୟାଣା ଓ ପୁରୁଷରେ କର୍ନାଟକ ଚାମ୍ପିୟନ ହୋଇଛି। ମହିଳା ବିଭାଗ ଫାଇନାଲରେ ହରିୟାଣା ୪-୨ ଗୋଲରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ମୋନିକା ସିହାଗ ୬ଷ୍ଠ ଓ ୭ମ ମିନିଟରେ ଏବଂ ଦୀପିକା ୮ମ ଓ ୧୬ତମ ମିନିଟରେ ୨ଟି ଲେଖାଏ ଗୋଲ ଦେଇଥିଲେ। ଉତ୍ତର ପ୍ରଦେଶ ପକ୍ଷରୁ ଅନୁଜା ସିଂ ୧୨ ଓ ୧୩ତମ ମିନିଟରେ ୨ଟି ଗୋଲ ପରିଶୋଧ କରିଥିଲେ। ସେହିପରି ପୁରୁଷ ବିଭାଗ ଫାଇନାଲରେ ଗତଥରର ଚାମ୍ପିୟନ କର୍ନାଟକ ୭-୩ ଗୋଲରେ ଉତ୍ତର ପ୍ରଦେଶକୁ ହରାଇ ଟାଇଟଲ ବଜାୟ ରଖିଛି। କର୍ନାଟକ ପକ୍ଷରୁ ଅଭରାନ ସୁଦେବ ୨, ୩ ଓ ୧୭ତମ ମିନିଟରେ ୩ଟି ଗୋଲ ଦେଇଥିବାବେଳେ ବି.ଏମ. ଲିକ୍ଷିତ ୧୫ ଓ ୨୦ତମ ମିନିଟରେ ୨ଟି ଏବଂ ମହମ୍ମଦ ରାହିଲ ମୌସିନ ୧୧ ଓ ସୋମେୟା କେ.ପି. ୧୨ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଉତ୍ତର ପ୍ରଦେଶ ପକ୍ଷରୁ ଅଧିନାୟକ ମହମ୍ମଦ ଅମିର ଖାଁ ୬ଷ୍ଠ ଓ ୯ମ ମିନିଟରେ ୨ଟି ଏବଂ ରାଜ କୁମାର ପାଲ ୪ର୍ଥ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ।
ବ୍ରୋଞ୍ଜ ମ୍ୟାଚରେ ହାରିଲା ଓଡ଼ିଶା
ପ୍ରତିଯୋଗିତାର ଉଭୟ ମହିଳା ଓ ପୁରୁଷ ବିଭାଗରେ ଓଡ଼ିଶା ସେମିଫାଇନାଲରେ ପରାସ୍ତ ହୋଇଥିଲା। ମହିଳା ବିଭାଗ ସେମିଫାଇନାଲରେ ଓଡ଼ିଶା ୩-୪ ଗୋଲରେ ହରିୟାଣା ନିକଟରୁ ହାରିଥିବାବେଳେ ପୁରୁଷ ବିଭାଗ ସେମିରେ ୧-୪ ଗୋଲରେ କର୍ନାଟକ ନିକଟରୁ ପରାସ୍ତ ହୋଇଥିଲା। ସେହିପରି ଉଭୟ ବିଭାଗର ବ୍ରୋଞ୍ଜ ପଦକ ମ୍ୟାଚରେ ମଧ୍ୟ ଓଡ଼ିଶା ହାରି ଯାଇଥିଲା। ମହିଳା ବିଭାଗ ମ୍ୟାଚରେ ଦଳ ୨-୩ ଗୋଲରେ ଝାଡ଼ଖଣ୍ଡଠାରୁ ପରାଜିତ ହୋଇଥିଲା। ଝାଡ଼ଖଣ୍ଡ ପକ୍ଷରୁ ଅଳକା ଡୁଙ୍ଗଡୁଙ୍ଗ ୫ମ, ବେତାନ ଡୁଙ୍ଗଡୁଙ୍ଗ ୧୨ ଓ ବିରାଜିନି ଏକ୍କା ୧୭ତମ ମିନିଟରେ ଏବଂ ଓଡ଼ିଶା ପକ୍ଷରୁ ଦୀପ୍ତି ଲାକ୍ରା ୧ମ ଓ ଅଧିନାୟିକା ଅସ୍ମିତା ବାର୍ଲା ୬ଷ୍ଠ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ପୁରୁଷ ବିଭାଗ ମ୍ୟାଚରେ ଓଡ଼ିଶା ୦-୨ ଗୋଲରେ ପଞ୍ଜାବ ନିକଟରୁ ପରାସ୍ତ ହୋଇଥିଲା। ପଞ୍ଜାବ ପକ୍ଷରୁ କରନବୀର ସିଂ ୫ମ ଏବଂ ସୁଦର୍ଶନ ସିଂ ୨୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।

Share