Categories: ଖେଳ

ଜାତୀୟ ସିନିୟର ୫-ଏ-ସାଇଡ୍‌ ହକି: ଓଡ଼ିଶା ମହିଳା ଦଳର ପ୍ରଥମ ବିଜୟ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)-
କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଚାଲିଥିବା ୪ର୍ଥ ହକି ଇଣ୍ଡିଆ ୫-ଏ-ସାଇଡ୍‌ ହକି ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୫-୦ ଗୋଲରେ ତାମିଲନାଡ଼ୁକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ଓଡ଼ିଶାର ଏହା ପ୍ରଥମ ବିଜୟ। ରବିବାର ପ୍ରଥମ ଦିବସରେ ଏହି ଦଳ ଗତଥରର ଚାମ୍ପିୟନ ଝାଡ଼ଖଣ୍ଡଠାରୁ ୩-୭ ଗୋଲରେ ପରାଜିତ ହୋଇଥିଲା। ତାମିଲନାଡ଼ୁ ବିପକ୍ଷ ମ୍ୟାଚରେ ଓଡ଼ିଶା ଆରମ୍ଭରୁ ପ୍ରାଧାନ୍ୟବିସ୍ତାର କରି ଖେଳିଥିଲା। ୧ମ ମିନିଟରେ ଦୀପ୍ତି ଲାକ୍ରା ଗୋଲ ଦେଇ ପ୍ରତିପକ୍ଷ ଦଳ ଉପରେ ଚାପ ପ୍ରୟୋଗ କରିଥିଲେ। ୩ୟ ମିନିଟରେ ଖୁସବୁ କୁଜୁର, ୯ମ ମିନିଟରେ ରିଙ୍କି କୁଜୁର ଏବଂ ୧୪ତମ ମିନିଟରେ ଦୀପ୍ତି ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେବାରୁ ଓଡ଼ିଶା ୪-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ୧୮ତମ ମିନିଟରେ ପ୍ରେମିତା ବାରା ଆଉ ଏକ ଗୋଲ ଦେଇଥିଲେ। ଏହି ବିଜୟ ଫଳରେ ଓଡ଼ିଶା ଗ୍ରୁପ୍‌ ‘ଏ’ରେ ଦ୍ୱିତୀୟ ସ୍ଥାନରେ ରହିଛି। ପଞ୍ଜାବ ସମାନ ପଏଣ୍ଟ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ଓଡ଼ିଶା ଆଗରେ ରହିଛି। ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ଝାଡ଼ଖଣ୍ଡ ୩-୦ ଗୋଲରେ ପଞ୍ଜାବକୁ ଏବଂ ହରିୟାଣା ୫-୨ ଗୋଲରେ ମହାରାଷ୍ଟ୍ରକୁ ହରାଇଥିବାବେଳେ ଉତ୍ତର ପ୍ରଦେଶ-କର୍ନାଟକ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି।

Share