Categories: ଗଞ୍ଜାମ

ଜାତୀୟ ସ୍କେଟିଂ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ଜିଣିଲେ ବ୍ରହ୍ମପୁର ଖେଳାଳି

ବ୍ରହ୍ମପୁର ଅଫିସ,୧୩ା୧୦-ଛତିଶଗଡ଼ ରାୟପୁରରେ ଅନୁଷ୍ଠିତ ହେଉଥିବା ଜାତୀୟସ୍ତରୀୟ ରୋଲର ସ୍କେଟିଂ ପ୍ରତିଯୋଗିତାର ପ୍ରଥମ ଦିନରେ ବ୍ରହ୍ମପୁର ସ୍କେଟର ସଫଳତା ହାସଲ କରିଛନ୍ତି। ୩୦୦ ମିଟର ଟାଇମ ଟ୍ରାଏଲ ବାଳିକା ବିଭାଗର ୮ ବର୍ଷ ବର୍ଗରେ ବ୍ରହ୍ମପୁର ଡିଏଭି ପବ୍ଲିକ ସ୍କୁଲ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଅନ୍ବେଷା ବିଷୋୟୀ ମାତ୍ର ୪୬ ସେକେଣ୍ଡରେ ଅତିକ୍ରମ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିଭଳି ୩୦୦ ମିଟର ରେସ୍‌ରେ ଡିଏଭି ପବ୍ଲିକ ସ୍କୁଲ ଛାତ୍ର ଆଶୁତୋଷ ପାଢୀ ୧୦ ବର୍ଷ ବୟସ ବର୍ଗ ୪୧ ସେକେଣ୍ଡରେ କଭର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସିବିଏସ୍‌ଇର ଫାର ଇଷ୍ଟ ଜୋନ୍‌ ଓଡ଼ିଶା ରାଜ୍ୟ ସମେତ ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ସିକିମ୍‌ ଏବଂ ପଶ୍ଚିମବଙ୍ଗ ଭଳି ୧୧ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟରମାନେ ଅଂଶ ଗ୍ରହଣ କରିଛନ୍ତି। ସମସ୍ତଙ୍କୁ ପଛରେ ପକାଇ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ବ୍ରହ୍ମପୁରର ଖେଳାଳି । ଏହି ସଫଳତା ପାଇଁ ନିଜ ବିଦ୍ୟାଳୟ, ଅଭିଭାବକ ଓ ସ୍କେଟିଂ ଅଭ୍ୟାସ କରୁଥିବା ବ୍ରହ୍ମପୁର କମାପଲ୍ଲୀସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡେମୀ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ନଭେମ୍ବରରେ କର୍ନାଟକର ବେଲଗାଭୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ କୁନି ସ୍କେଟର ଅନ୍ବେଷା ମନୋନୀତ ହୋଇଛନ୍ତି । ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଉଛି ।