ଜାତୀୟ ସ୍ବାର୍ଥକୁ ଦେଖି ନିଷ୍ପତ୍ତି ହେଉ

ପୁରୀ ଅଫିସ,୨୫ା୪: କରୋନା ଟାଣିଛି ଲକ୍ଷ୍ମଣରେଖା। ସିଂହଦ୍ୱାର ଡେଇଁ ପାରୁନାହାନ୍ତି ଭକ୍ତ। ମାସେରୁ ଊର୍ଦ୍ଧ୍ୱ ହେଲାଣି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଏବେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ହୋଇନାହିଁ। ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ବିବୃତିରେ କହିଛନ୍ତି ଯେ, ସରକାରଙ୍କ ଲକ୍‌ଡାଉନ୍‌ ନିୟମରେ କୌଣସି ଧର୍ମପୀଠରେ ବାହାର ଯାତ୍ରାକୁ ପୁରା ବାରଣ କରାଯାଇଛି। ସରକାରଙ୍କ ଏଭଳି ନିୟମକୁ ପରିଚାଳନା କମିଟି ମାନିବାକୁ ପଡ଼ିବ। ସ୍ନାନଯାତ୍ରା ଓ ରଥ ଯାତ୍ରା ପାଇଁ ସମୟ ଅଛି। ଲକ୍‌ଡାଉନ ହଟିବା ପରେ ରଥଯାତ୍ରା ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବା ଠିକ୍‌ ହେବ ବୋଲି କହିଛନ୍ତି। ସର୍ବୋପରି ମାନବ ସମାଜ ପ୍ରତି ବିପଦ ସୃଷ୍ଟି ହେବା ଭଳି କୌଣସି ନିଷ୍ପତ୍ତି ନିଆଯିବା ଠିକ୍‌ ନୁହେଁ ବୋଲି ମହାରାଜା କହିଛନ୍ତି। ମହାରାଜାଙ୍କ ଏଭଳି ବିବୃତ୍ତି ପରେ ଚଳିତବର୍ଷ ରଥଯାତ୍ରା ଆୟୋଜନକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ଚାଲିଛି।