Categories: ଖେଳ

ଜାତୀୟ ହୁଇଲଚେୟାର ଫେନ୍ସିଂ:୬ ସ୍ବର୍ଣ୍ଣ ସହ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ

ଭୁବନେଶ୍ୱର,୩୦ା୭ (କ୍ରୀଡ଼ା ପ୍ରତିନିଧି)-
ଚେନ୍ନାଇର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୧୨ତମ ଜାତୀୟ ହୁଇଲ ଚେୟାର ଫେନ୍ସିଂ ଚାମ୍ପିୟନଶିପରେ ଓଡ଼ିଶା ୬ ସ୍ବର୍ଣ୍ଣ ଓ ୨ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ହାସଲ ସହ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ବ୍ୟକ୍ତିଗତ ବିଭାଗରେ ମାଳତୀ ପନାଉରେ ୨ଟି ସ୍ବର୍ଣ୍ଣ ପାଇଥିବାବେଳେ ଭି. ରମେଶ ରାଓ ୧ ସ୍ବର୍ଣ୍ଣ, ଶୀଲା ମନ୍ତ୍ରୀ ୧ ରୌପ୍ୟ, ୧ ବ୍ରୋଞ୍ଜ ଓ ପୂଜାସ୍ବିନୀ ୧ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଦଳଗତ ବିଭାଗରେ ଓଡ଼ିଶା ୨ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ମହିଳା ଦଳଗତରେ ଗୋଟିଏ ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛି।
ପୁରୁଷ ଫଏଲ ବିଭାଗରେ ଦଳଗତ ସ୍ବର୍ଣ୍ଣ ପଦକ ପାଇଥିବା ଓଡ଼ିଶା ଦଳର ସଦସ୍ୟମାନେ ହେଲେ ରାଖାଲ କୁମାର ସେଠୀ, ଭି, ରମେଶ ରାଓ, ଅକ୍ଷୟ କୁମାର ସାହୁ ଓ କମଳକାନ୍ତ ନାୟକ। ସେହିପରି ସ୍ବର୍ଣ୍ଣ ପାଇଥିବା ଇପି ଟିମ୍‌ର ସଦସ୍ୟ ହେଲେ ରାଖାଲ କୁମାର ସେଠୀ, ଭି. ରମେଶ ରାଓ, ପ୍ରଭାକର ବେହେରା ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ। ମହିଳା ଟିମ୍‌ ଫଏଲରେ ମାଳତୀ ପନାଉରେ, ଶୀଲା ମନ୍ତ୍ରୀ, ପୂଜାସ୍ବିନୀ ନାୟକ ଓ ମଧୁମଞ୍ଜରୀ ଧଳ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ରୌପ୍ୟ ବିଜୟୀ ସାବ୍ରି ଦଳରେ ଥିଲେ ମାଳତୀ ପନାଉରେ, ଶୀଲା ମନ୍ତ୍ରୀ, ପୂଜାସ୍ବିନୀ ନାୟକ ଓ ଜୁଲି ସାହୁ। ମାଳତୀ ପନାଉରେ, ଶୀଲା ମନ୍ତ୍ରୀ, ପୂଜାସ୍ବିନୀ ନାୟକ ଓ ଲକ୍ଷ୍ମୀ ପାତ୍ର ଦଳଗତ ବ୍ରୋଞ୍ଜ ପଦକ ପାଇଥିଲେ। ଅନ୍ୟ ସମସ୍ତ ରାଜ୍ୟ ତୁଳନାରେ ଓଡ଼ିଶାର ଏହାଥିଲା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଟୁର୍ନାମେଣ୍ଟ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ୧ ମାସଧରି ଅଭ୍ୟାସ କରିବାର ଫଳ ମିଳିଛି ବୋଲି ଓଡ଼ିଶାର ଅଭିଜ୍ଞ ଖେଳାଳି ରାଖାଲ କୁମାର ସେଠୀ ପ୍ରକାଶ କରିଛନ୍ତି।

Share