Categories: ଖେଳ

ଜାନୁୟାରୀରେ ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୫।୯(ପିଟି): ଆସନ୍ତା ବର୍ଷ ଜାନୁୟାରୀରେ ଭାରତ ଗସ୍ତରେ ଜିମ୍ବାଓ୍ବେ ଦଳ ଆସିବାର ଥିଲା। କିନ୍ତୁ ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ବାସନ୍ଦ ଥିବାରୁ ଏହି ଦଳ ସ୍ଥାନରେ ଶ୍ରୀଲଙ୍କା, ଭାରତ ଗସ୍ତରେ ଆସିବ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଏହି ଗସ୍ତରେ ୩ଟି ଟି୨୦ ଗୁଆହାଟୀ, ଇନ୍ଦୋର ଓ ପୁଣେଠାରେ ଯଥାକ୍ରମେ ୫, ୭ ଓ ୧୦ ତାରିଖରେ ଖେଳାଯିବ। ଭେନ୍ୟୁ ଓ ତାରିଖ ପୂର୍ବଭଳି ଅପରିବର୍ତ୍ତିତ ରହିଛି। ଜିମ୍ବାଓ୍ବେର ବାସନ୍ଦାଦେଶ ଯୋଗୁ ବିସିସିଆଇ ଶ୍ରୀଲଙ୍କା ଦଳକୁ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରଥିଲା। ଏହାକୁ ଶ୍ରୀଲଙ୍କା କ୍ରିକେଟ ଗ୍ରହଣ କରିନେଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଗତ ଜୁଲାଇରେ ଲଣ୍ଡନଠାରେ କାଉନ୍ସିଲ ବୈଠକ ପରେ ଜିମ୍ବାଓ୍ବେ କ୍ରିକେଟକୁ ବାସନ୍ଦ କରାଯାଇଛି। ଫଳରେ ଆଇସିସିଠାରୁ ଜିମ୍ବାଓ୍ବେ କ୍ରିକେଟକୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ ହୋଇଯାଇଛି। ବାସନ୍ଦ ହେବାରୁ ଦଳ କୌଣସି ପୁରୁଷ କିମ୍ବା ମହିଳା ବିଭାଗର ଆଇସିସି ଇଭେଣ୍ଟରେ ଅଂଶଗ୍ରହଣ କରିପାରିବ ନାହିଁ। ବାସନ୍ଦ ରହିବା ସତ୍ତ୍ୱେ ନିକଟରେ ବାଂଲାଦେଶରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ଜିମ୍ବାଓ୍ବେ ଭାଗ ନେଇଥିଲା।

Share