ଜାନୁୟାରୀ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର,୪ା୧(ବ୍ୟୁରୋ): ଆଦିବାସୀ ମେଳା-୨୦୨୦ ଆସନ୍ତା ଜାନୁୟାରୀ ୨୬ରୁ ଫେବୃୟାରୀ ୯ ପର୍ଯ୍ୟନ୍ତ ୟୁନିଟ-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ମେଳା ନିମନ୍ତେ ଏ.ଟି.ଏଲ୍‌.ସି ଚଳିତବର୍ଷ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ। ସେହିଭଳି ମେଳାରେ ଏଥର ମୋଟ ୮ ବିଭାଗ ରହିବ। ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା, ସୁବ୍ୟବସ୍ଥିତ ଯାନବାହନ ଚଳାଚଳ ଉପରେ ଗୁରୁତ୍ୱ ଦିଆଯିବ। ଏହାସହ ମେଳା ପରିସରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ମେଳାକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ଓ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ମଧ୍ୟ ବିଭାଗ ଗୁରୁତ୍ୱ ଦେବ।
ଚଳିତବର୍ଷ ଆଦିବାସୀ ମେଳାକୁ ଅଧିକ ବ୍ୟାପକ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଶୁକ୍ରବାର ଆଦିବାସୀ ପ୍ରଦର୍ଶନୀ ପଡ଼ିଆସ୍ଥିତ ଓଟିଡିସି ସମ୍ମିଳନୀ କକ୍ଷରେ ଆଦିବାସୀ ମେଳା-୨୦୨୦ ଆୟୋଜନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ମେଳା ସହିତ ସମ୍ପୃକ୍ତ ସମସ୍ତ ବିଭାଗର ସମନ୍ବୟରେ ମେଳାକୁ ସୁଚାରୁ ରୂପେ ଆୟୋଜନ କରିବା ଉପରେ ଚୋପ୍ରା ଗୁରୁତ୍ୱାରୋପ କରିଥିଲେ। ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରସ୍ତୁତି ଓ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ଫାୟାର ସର୍ଭିସ୍‌ କମିଶନର ଅଫ୍‌ ପୋଲିସ, ବିଏମ୍‌ସି, ଖୋର୍ଦ୍ଧା ଜିଲାପାଳଙ୍କ ସହ କୃଷି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଦ୍ୟାନକୃଷି, ପର୍ଯ୍ୟଟନ, ମୃତ୍ତିକା ସଂରକ୍ଷଣ, ହସ୍ତଶିଳ୍ପ, କୁଟୀରଶିଳ୍ପ, ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ଆଦି ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ୨୬ ତାରିଖ ସନ୍ଧ୍ୟାରେ ମେଳା ଉଦ୍‌ଘାଟିତ ହେବ।

Share