Categories: ଜାତୀୟ

ଜାନୁୟାରୀ ୩୦ ଭିତରେ ହୋଇପାରେ ରାମ ମନ୍ଦିର ଟ୍ରଷ୍ଟ ଘୋଷଣା: ଅଯୋଧ୍ୟାର ଏହି ସନ୍ଥ ହୋଇପାରନ୍ତି ଅଧ୍ୟକ୍ଷ

ଆଯୋଧ୍ୟା,୨୨।୧: ରାମ ଜନ୍ମଭୂମି ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏବେ ସମସ୍ତଙ୍କ ନଜର ରହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହେବାକୁ ଥିବା ରାମ ମନ୍ଦିର ଟ୍ରଷ୍ଟ ଉପରେ। କାରଣ ୩ ମାସ ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟ ଗଠନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଥିରେ କେଉଁମାନଙ୍କୁ ସାମିଲ କରାଯିବ ସେନେଇ ସମସ୍ତେ ଅପେକ୍ଷା କରି ରହିଛନ୍ତି। ସୂଚନା ମୁତାବକ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଟ୍ରଷ୍ଟର ରୂପରେଖ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି। କେବଳ ଜାନୁୟାରୀ ୩୦ ମଧ୍ୟରେ ଏହାକୁ ଘୋଷଣା କରାଯିବ। ଏହି ଟ୍ରଷ୍ଟରେ ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ଥିବା ସାଧୁସନ୍ଥ, ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଓ ଆରଏସ୍‌ଏସ୍‌ ସହ ଜଡିତ ଥିବା ବ୍ୟକ୍ତିଙ୍କୁ ହିଁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପଦ ପାଇଁ ଅଯୋଧ୍ୟାର ସନ୍ଥମାନେ ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ନାମକୁ ଚୟନ କରିଛନ୍ତି। ଭିଏଚ୍‌ପି ମଧ୍ୟ ତାଙ୍କର ନାମକୁ ସମର୍ଥନ କରିଛି। ଏତଦ୍‌ ବ୍ୟତୀତ ଏହି ଟ୍ରଷ୍ଟରେ ୧୧ଜଣ ସଦସ୍ୟ ରହିବାକୁ ଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ରାଜ୍ୟପାଳ ଓ ଅଯୋଧ୍ୟାର ଜିଲାପାଳଙ୍କୁ ମଧ୍ୟ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

Share