Categories: ଖେଳ

ଜାପାନକୁ ହାଲ୍‌କା ନେଉନାହୁଁ: ରିଡ୍‌

ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଜାପାନ ବିପକ୍ଷ ସେମିଫାଇନାଲକୁ ଗୁରୁତ୍ୱର ସହ ନେଉଛନ୍ତି ଭାରତ କୋଚ୍‌ ଗ୍ରାହାମ୍‌ ରିଡ୍‌। ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟୀ ଜାପାନ ବିପକ୍ଷରେ ଆମେ ନିକଟ ଅତୀତରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଏହି ଦଳକୁ ଆମେ କେବେହେଲେ ହାଲ୍‌କାଭାବେ ନେଉନାହୁଁ ବୋଲି ସେ ପ୍ରକାଶ କରିଛନ୍ତି। ”ଏପରି ଏକ ଟୁର୍ନାମେଣ୍ଟ ଜିତିବାକୁ ହେଲେ ପ୍ରତି ଦଳକୁ ହରାଇବାକୁ ପଡ଼ିବ। ସେମିଫାଇନାଲର ଗୁରୁତ୍ୱ ସବୁବେଳେଭିନ୍ନ। ଅତୀତରେ କ’ଣ ହୋଇଥିଲା ତାର ଯେତେ ଗୁରୁତ୍ୱ ନାହିଁ, ବର୍ତ୍ତମାନ କ’ଣ ହେବାକୁ ଯାଉଛି ତାହା ବେଶି ଗୁରୁତ୍ୱପୂର୍ଣ୍ଣ। ଏଥିରେ ମୁଁ ବିଶ୍ୱାସକରେ ବୋଲି ରିଡ୍‌ କହିଛନ୍ତି। ଅତୀତ ପ୍ରଦର୍ଶନ ସମ୍ପର୍କରେ ମୁଁ ଅଧିକ କିଛି କହିବାକୁ ଚାହେଁନାହିଁ। ଗତ କ୍ରସ୍‌ ଓଭରରେ କିନ୍ତୁ ଜାପାନ ବହୁତ ଭଲ ଖେଳିଲା। ତେଣୁ ଆମେ ଶ୍ରେଷ୍ଠ ପ୍ରଦର୍ଶନ କରି ଆଗାମୀ ମ୍ୟାଚ ଜିତିବାକୁ ଚାହୁଁ। ସେମିଫାଇନାଲ ଖେଳିବାକୁ ଯାଉଥିଲେ ମଧ୍ୟ ପିଲାମାନେ ଚାପରେ ନାହାନ୍ତି। ଅନ୍ୟ ସାଧାରଣ ମ୍ୟାଚ ଭଳି ଆଗାମୀ ମ୍ୟାଚ ଖେଳିବାକୁ ମୁଁ ସେମାନଙ୍କୁ ପରାମର୍ଶ ଦେଇଛି। ଆମେ ପ୍ରଥମ କିଛି ମିନିଟର ଖେଳ ଉପରେ ଫୋକସ ରଖି ସେଠାରୁ ଆଗକୁ ବଢ଼ିବୁ ବୋଲି ଏହି ଅଷ୍ଟ୍ରେଲିଆନ କୋଚ୍‌ ପ୍ରକାଶ କରିଛନ୍ତି।

Share