ଜାପାନରୁ ଫେରିଲା ୨ ଓଡ଼ିଆଙ୍କ ମୃତଦେହ

ଭୁବନେଶ୍ୱର,୧୦।୨(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଓଡ଼ିଶା: ମୋ ପରିବାର ସଙ୍ଗଠନ ପ୍ରଚେଷ୍ଟା କ୍ରମେ ଜାପାନରୁ ୨ ଓଡ଼ିଆଙ୍କ ମୃତଦେହ ଶୁକ୍ରବାର ଫେରିପାରିଛି। ଜାପାନର ଟୋକିଓ ସହରରେ ରୋଷେୟା କାମ କରୁଥିବା ୨ ଓଡ଼ିଆଙ୍କ କିଛିଦିନ ତଳେ ମୃତ୍ୟୁ ହୋଇଥିଲା। ଏହି ଦୁଇଜଣ ହେଲେ ବାଲେଶ୍ୱର କମର୍ଦ୍ଦାର ଶେଖ୍‌ ମଣ୍ଟାଜ୍‌ ଏବଂ ଯାଜପୁର ବଡ଼ଚଣାର ଶେଖ୍‌ ବାହାରୁଦ୍ଦିନ୍‌। ରୋଷେଇ ପ୍ରସ୍ତୁତ ସମୟରେ ଗ୍ୟାସ ନିର୍ଗତ ହେବାରୁ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତ୍ୟୁ ଖବର ପାଇ ସେମାନଙ୍କ ପରିଜନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ‘ଓଡ଼ିଶା: ମୋ ପରିବାର’ ସଂଗଠନ ସହ ଯୋଗାଯୋଗ କରିଥିଲେ।
ଏହି ଖବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ମଧ୍ୟ ଅଣାଯାଇଥିଲା। ଏହା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଏବଂ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ଜାପାନସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଥିଲେ। ଏହା ପରେ ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପାଦିତ ହୋଇଥିଲା। ରବିବାର ସକାଳୁ କଲିକତା ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ସେମାନଙ୍କ ମୃତଦେହ ପହଞ୍ଚିଥିଲା। ସେଠାରେ ଅରୂପ ଏବଂ ବିବେକାନନ୍ଦ ମୃତଦେହକୁ ଗ୍ରହଣ କରିବା ସହ ପୃଥକ ଗାଡିରେ ଉଭୟଙ୍କ ଗାଁକୁ ପଠାଇଥିଲେ। ସେହିପରି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିବା ଜଣାପଡିଛି। ଅନୁରୂପ ଭାବେ କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ମଧ୍ୟ ଉପରୋକ୍ତ ଦୁଇ ଓଡ଼ିଆଙ୍କ ମୃତଦେହକୁ ଫେରାଇ ଆଣିବା ପାଇଁ ନିଜସ୍ତରରେ ଉଦ୍ୟମ କରିଥିଲେ। ଗତ ୬ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟି ଦାବିପତ୍ର ମଧ୍ୟ ଦେଇଥିଲେ। ଜୟଶଙ୍କର ମଧ୍ୟ ସମସ୍ତ ପ୍ରକାର ସହାୟତା ଲାଗି ପ୍ରତିଶ୍ରୁତି ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଉଦ୍ୟମ ପାଇଁ ମୃତକଙ୍କ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛିି।

Share