ଜାପାନୀ ଜ୍ୱରରେ ଛାତ୍ର ଆକ୍ରାନ୍ତ: ମଢ଼ିଆଳିରେ ପହଞ୍ଚିଲେ ଡାକ୍ତରୀ ଟିମ୍‌

ଭଣ୍ଡାରିପୋଖରୀ, ୨୦।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଢିଆଳି ଗ୍ରାମର ଜଣେ ୧୭ ବର୍ଷର କଲେଜ ପଢୁଆ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ୫ ତାରିଖରେ ତାଙ୍କୁ ଜ୍ୱର ହେବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଔଷଧ ଖାଇବା ପରେ ମଧ୍ୟ ଜ୍ୱର ଛାଡ଼ି ନ ଥିଲା। ଏଣୁ ତାଙ୍କୁ କଟକକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖିବାକୁ ଡାକ୍ତର କହିଥିଲେ। ଆଇସିୟୁ କଟକ ବଡ଼ ଡାକ୍ତରଖାନାରେ ନ ମିଳିବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରକ୍ତ ନମୁନା ପରୀକ୍ଷା ପରେ ତାଙ୍କୁ ଜାପାନୀ ଜ୍ୱର ହୋଇଥିବା ଜଣାପଡ଼ିଥିଲା। ସେ ବର୍ତ୍ତମାନ ଆଇସିୟୁରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ଜାପାନୀ ଜ୍ୱର ପାଇଁ କୌଣସି ଔଷଧ ନ ଥିବାବେଳେ କେବଳ ପ୍ରତିଷେଧକ ଟିକା ରହିଛି। ଭଦ୍ରକ ଜିଲାରେ ଆଜି ପର୍ଯ୍ୟନ୍ତ ଏହି ଟିକା ଦିଆଯାଇ ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ. କମଳାକାନ୍ତ ସ୍ବାଇଁଙ୍କୁ ପଚାରିବାରୁ କହିଛନ୍ତି, ଜାପାନୀ ଜ୍ୱର ସମ୍ପର୍କରେ କିଛି ରିପୋର୍ଟ ଆସି ନାହିଁ। ଏହି ଜ୍ୱର ପାଇଁ ଔଷଧ ନାହିଁ। କେବଳ ଟିକାକରଣ କରାଯାଇପାରିବ। ନଭେମ୍ବର ୧୧ଠାରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଜାପାନୀ ଜ୍ୱର ସମ୍ପର୍କରେ ୧ରୁ ୧୫ ବର୍ଷ ପିଲାମାନଙ୍କୁ ପ୍ରତିଷେଧକ ଟିକା ପ୍ରଦାନ ସହ ବିଭିନ୍ନ ସ୍ଥାନରେ ଜନସଚେତନତା ସୃଷ୍ଟି କରାଯିବା ବ୍ୟବସ୍ଥା ହୋଇଥିବା କହିଥିଲେ। ରବିବାର ଅପରାହ୍ନରେ ଏକ ଡାକ୍ତରୀ ଟିମ୍‌ ମଢ଼ିଆଳିରେ ପହଞ୍ଚିଥିଲେ।
ମଞ୍ଜୁରିରୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡା. ଦେବାଶିଷ ପତି, ସରପଞ୍ଚ ପ୍ରମିଳା ସାହୁ, ଅଙ୍ଗନୱାଡି, ଆଶାକର୍ମୀ ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ ରୁଦ୍ରପ୍ରସାଦ କବି ମଢିଆଳିରେ ପହଞ୍ଚି ଗ୍ରାମ ଲୋକଙ୍କୁ ଡାକି ଏକ ସଚେତନତା ସଭା କରିଥିଲେ।