Categories: ଖେଳ

ଜାପାନ କ୍ରୀଡ଼ାପ୍ରେମୀଙ୍କ ଲାଗି ସ୍ବତନ୍ତ୍ର ଅଲିମ୍ପିକ୍‌ ପ୍ୟାକେଜ

ଟୋକିଓ,୨୩।୮(ଏପି): ଟୋକିଓ ଅଲିମ୍ପିକ୍‌ ଆୟୋଜକଙ୍କ ପକ୍ଷରୁ ଜାପାନର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଉଚ୍ଚସ୍ତରୀୟ ପ୍ୟାକେଜ ଘୋଷଣା କରାଯାଇଛି। ୬.୩୫ ନିୟୁତ ୟେନ ମୂଲ୍ୟର ପ୍ୟାକେଜ ମାଧ୍ୟମରେ ଉପଭୋକ୍ତାମାନେ ଉଦ୍‌ଘାଟନୀ ଉତ୍ସବରୁ ଆରମ୍ଭ କରି ୯ ଦିନ ଟ୍ରାକ୍‌ ଓ ଫିଲ୍ଡ ଇଭେଣ୍ଟ ସହ ଉଦ୍‌ଯାପନୀ ଉତ୍ସବର ମଜା ନେଇପାରିବେ। ଏହି ପ୍ୟାକେଜର ମୂଲ୍ୟ ୬୦ ହଜାର ଆମେରିକୀୟ ଡଲାର, ଯାହା ଭାରତୀୟ ମୁଦ୍ରାରେ ୪୩.୦୯ ଲକ୍ଷ ଟଙ୍କା। ତେବେ ପରିବାର ଓ ବନ୍ଧୁଙ୍କ ସହ ଅଲିମ୍ପିକ୍ସ ଉପଭୋଗ କରିବାକୁ ଚାହୁଁଥିବା କ୍ରୀଡ଼ାପ୍ରେମୀଙ୍କ ଲାଗି ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ପ୍ୟାକେଜ ଉପଭୋକ୍ତାଙ୍କୁ ସ୍ବତନ୍ତ୍ର ସାମ୍ପେୟାନ, ବିୟର, ଓ୍ବାଇନ, ଅନ୍ତର୍ଜାତୀୟ ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତ ରାତ୍ରୀଭୋଜନ, ଭିଆଇପି ପାସ, ଉଦ୍‌ଘାଟନୀ ଦିବସର ମୁଖ୍ୟ ଅତିଥିଙ୍କ ସହ ଫଟୋ ଉଠାଇବାର ସୁବିଧା ଆଦି ପ୍ରଦାନ କରାଯିବ। ଏହାବାଦ୍‌ ଏକ ଶସ୍ତା ପ୍ୟାକେଜ ମଧ୍ୟ ରଖାଯାଇଛି, ଯେଉଁଥିରେ ଉପଭୋକ୍ତାଙ୍କୁ କମ୍‌ ଲୋକପ୍ରିୟତା ଇଭେଣ୍ଟର କେବଳ ଏକ ସେସନ ଦେଖିବାକୁ ସୁଯୋଗ ଦିଆଯିବ। ଆସନ୍ତା ବର୍ଷ ଏଠାରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଟିକେଟ୍‌ ଚାହିଦା ଅହେତୁକ ବୃଦ୍ଧି ପାଉଛି। ଏଣୁ ଟିକେଟ କଳାବଜାରୀ ହେବାର ବିଶେଷ ସମ୍ଭାବନା ରହିଛି। ଏଥିସହିତ ବୃଦ୍ଧି ପାଉଛି ସେଠାକାର ହୋଟେଲ ରେଟ୍‌। ନିର୍ଦ୍ଦିଷ୍ଟ ଭାବେ ଆମେରିକା ଓ ୟୁରୋପର କ୍ରୀଡ଼ାପ୍ରେମୀଙ୍କୁ ଦୃଷ୍ଟିରେ ରଖି ରେଟ୍‌ ବଢ଼ାଯାଉଛି। ଏଥିଯୋଗୁ ଏହା ସବୁଠୁ ବ୍ୟୟବହୁଳ ଅଲିମ୍ପିକ୍ସ ହେବ ବୋଲି କୁହାଯାଉଛି।

Share