Categories: ଖେଳ

ଜାଫର୍‌ଙ୍କ ନାମରେ ଆଉ ଏକ ରଣ୍‌ଜୀ ରେକର୍ଡ

ନାଗପୁର, ୪।୨- ଭେଟେରାନ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର୍‌ ରଣ୍‌ଜୀ ଟ୍ରଫି କ୍ରିକେଟ୍‌ରେ ଆଉ ଏକ ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ରଣ୍‌ଜୀ ଟ୍ରଫି ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୪୧ ବର୍ଷୀୟ ଜାଫର୍‌ ୧୨ ହଜାର ରନ୍‌ ପୂରଣ କରିଛନ୍ତି। ସୋମବାରଠାରୁ ସ୍ଥାନୀୟ ବିଦର୍ଭ କ୍ରିକେଟ୍‌ ଆସୋସିଏଶନ ଷ୍ଟାଡିୟମରେ ଘରୋଇ ବିଦର୍ଭ ଓ କେରଳ ମଧ୍ୟରେ ଆରମ୍ଭ ହୋଇଥିବା ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ଅବସରରେ ଜାଫର୍‌ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଦର୍ଭ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ୧୨ ହଜାର ରନ୍‌ କ୍ଲବରେ ସାମିଲ ହେବା ଲାଗି ଆଉ ୨୫ ରନ ଆବଶ୍ୟକ କରୁଥିଲେ। ବିଦର୍ଭର ପ୍ରଥମ ଇନିଂସରେ ସେ ୫୭ ରନର ଇନିଂସ ଖେଳିବା ସହ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ନିକଟରେ ଜାଫର ପ୍ରଥମ ଖେଳାଳି ଭାବେ ୧୫୦ ରଣଜୀ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଥିଲେ। ୧୯୯୬/୯୭ ରଣ୍‌ଜୀ ଟ୍ରଫି କ୍ୟାରିୟର ପଦାର୍ପଣ କରିଥିବା ଜାଫର ପୂର୍ବରୁ ଘରୋଇ କ୍ରିକେଟ୍‌ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୪୦ ଶତକ ଅର୍ଜନ କରିଥିଲେ। ସେହିଭଳି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୧୧ ହଜାର ରନ୍‌ ସଂଗ୍ରହ କରିବାରେ ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ସେ ଉଭୟ ମୁମ୍ବାଇ ଓ ବିଦର୍ଭ ପକ୍ଷରୁ ଖେଳିଛନ୍ତି। ସେହିଭଳି ଭାରତ ପକ୍ଷରୁ ୩୧ ଟେଷ୍ଟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ସେ ୧୯୪୪ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ ରହିଛି।

Share