Categories: ଖେଳ

ଜାଭେଲିନ୍‌ ଥ୍ରୋୟର ଅମିତ୍‌ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୧୮ା୨ (ପି.ଟି.)-ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା)ର ଆଣ୍ଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ (ଏଡିଡିପି) ହରିୟାଣା ଜାଭେଲିନ୍‌ ଥ୍ରୋୟର ଅମିତ୍‌ ଦାହିୟାଙ୍କୁ ଦୃଷ୍ଟାନ୍ତମୂଳକ ୪ ବର୍ଷ ପାଇଁ ବାସନ୍ଦ କରିଛି। ଗତବର୍ଷ ନ୍ୟାଶନାଲ ଜାଭେଲିନ୍‌ ଥ୍ରୋ ଓପନ ଚାମ୍ପିୟନଶିପ୍‌ରେ ଡୋପ୍‌ ସାମ୍ପଲ ସଂଗ୍ରହ ବେଳେ ସେ ନିଜେ ନ ଯାଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପଠାଇ ଦେଇଥିଲେ। ୨୦୧୯ ଏପ୍ରିଲ ୧୬ରେ ହରିୟାଣାର ସୋନେପତଠାରେ ଅନୁଷ୍ଠିତ ଏହି ଇଭେଣ୍ଟରେ ଦାହିୟା ୬୮.୨୧ ମିଟର ଜାଭେଲିନ୍‌ ଥ୍ରୋ କରି ତୃତୀୟ ହୋଇଥିଲେ। ଇଭେଣ୍ଟ ପରେ ନ୍ୟାଶନାଲ ଆଣ୍ଟି ଡୋପିଂ ଅଫିସିଆଲ ମାନେ ୨୧ବର୍ଷୀୟ ଦାହିୟାଙ୍କୁ ଡୋପିଂ ସାମ୍ପଲ ଦେବାକୁ କହିଥିଲେ। ସାମ୍ପଲ ସଂଗ୍ରହ ପ୍ରକୋଷ୍ଠକୁ ସେ ନିଜେ ନ ଯାଇ ଅନ୍ୟ ଜଣଙ୍କୁ ପଠାଇ ଦେଇଥିଲେ। ଯାଞ୍ଚ ବେଳେ ନାଡା ଡୋପ୍‌ ସଂଗ୍ରହକାରୀମାନେ ଜାଣିବାକୁ ପାଇଥିଲେ ଯେ, ଯେଉଁ ବ୍ୟକ୍ତି ଡୋପ୍‌ ସାମ୍ପଲ ଦେବା ଲାଗି ଆସିଥିଲେ ସେ ଅମିତ ନୁହଁନ୍ତି। ଫଳରେ ବ୍ରୋଞ୍ଜ ପଦକ ବିଜେତାଙ୍କ ଚାଲବାଜି କାମ କରି ନ ଥିଲା। ନାଡା ଡାହିୟାଙ୍କୁ ଗତ ବର୍ଷ ଜୁଲାଇ ୧୬ରେ ସାମୟିକ ସସ୍‌ପେଣ୍ଡ କରିଥିଲା। ଚଳିତ ବର୍ଷ ଜାନୁୟାରୀ ୯ରେ ଏହି ମାମଲାକୁ ଏଡିଡିପିକୁ ହସ୍ତାନ୍ତର କରିଥିଲା। ଏଡିଡିପି ଏହାର ବିଚାର କରି ଦାହିୟାଙ୍କୁ ସାମୟିକ ସସ୍‌ପେଣ୍ଡ ତାରିଖଠାରୁ ୪ ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରିଛି।

Share