ପୋଚ୍ଫ୍ସଷ୍ଟ୍ରୁମ(ଦକ୍ଷିଣ ଆଫ୍ରିକା),୧୧।୩(ପି.ଟି.)- ଭାରତୀୟ ଜାଭେଲିନ ଥ୍ରୋୟର ଶିବପାଲ ସିଂ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ବୁଧବାର ଚଳିତବର୍ଷ ହେବାକୁ ଥିବା ଇଭେଣ୍ଟ ଲାଗି ଧାର୍ଯ୍ୟ କ୍ୱାଲିଫାଇଙ୍ଗ ଦୂରତା (୮୫ ମିଟର) ହାସଲ କରିଛନ୍ତି। ସେ ଦେଶର ଦ୍ୱିତୀୟ ଜାଭେଲିନ ଥ୍ରୋୟର ଭାବେ ଅଲିମ୍ପିକ୍ ଖେଳିବେ। ତାଙ୍କ ପୂର୍ବରୁ ନୀରଜ ଚୋପ୍ରା ଏହି ସଫଳତା ପାଇଥିଲେ। ୨୪ ବର୍ଷୀୟ ଶିବପାଲ ଏସିଏନ୍ଡବ୍ଲ୍ୟୁ ପ୍ରତିଯୋଗିତାରେ ୫ମ ଉଦ୍ୟମରେ ୮୫.୪୭ ମି. ଦୂରତା ହାସଲ କରିଛନ୍ତି। ଏ ସମ୍ପର୍କରେ ଆଥ୍ଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଜଣେ ଭାରତୀୟ ଆକାଶଦୀପ ସିଂ ୭୫ ମି. ଦୂରତା ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଉଲ୍ଲେଖଥାଉ କି, ନୀରଜ ଗତ ଜାନୁୟାରୀରେ ଅନ୍ୟ ଏକ ଏସିଏନ୍ଡବ୍ଲ୍ୟୁ ଲିଗ୍ ଇଭେଣ୍ଟ ଅଲିମ୍ପିକ୍ ଟିକେଟ୍ ପାଇଥିଲେ। ଶିବପାଲ ଓ ନୀଜରଙ୍କ ବ୍ୟତୀତ ୨୦ କି.ମି. ଚାଲିରେ କେ. ଟି ଇର୍ଫାନ, ଅବିନାଶ ସାବଲେ (ପୁରୁଷ ୩୦୦୦ ମି. ଷ୍ଟିପଲଚେଜ) ଓ ଦେଶର ମିକ୍ସଡ୍ ୪ ଗୁଣା ୪୦୦ ମି. ରିଲେ ଦଳ ଯୋଗ୍ୟତା ହାସଲ କରିସାରିଛନ୍ତି।