Categories: ଜାତୀୟ

ଜାମିଆରେ ଫୁଟିଲା ଗୁଳି

ନୂଆଦିଲ୍ଲୀ, ୪ା୨(ପି.ଟି.): ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ ଜାରି ରହିଥିବା ବେଳେ ରବିବାର ରାତିରେ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ନିକଟରେ ପୁଣି ଗୁଳିକାଣ୍ଡ ଘଟିଛି। ଦୁଇ ଅଜ୍ଞାତ ବ୍ୟକ୍ତି ଏହି ଗୁଳି ଫୁଟାଇ ଫେରାର୍‌ ହୋଇଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସପ୍ତାହକ ମଧ୍ୟରେ ଦିଲ୍ଲୀରେ ୩ ଥର ଗୁଳି ଫୁଟିବାକୁ ନେଇ ଉତ୍ତେଜନା ଦେଖାଦେଇଛି। ଜାମିଆ ଛାତ୍ରୀଛାତ୍ର ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଏମାନେ ସୋମବାର ଦାବି କରିଛନ୍ତି। ସରକାରୀ ଗୁଣ୍ଡାମାନେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ଏଭଳି କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ବିକ୍ଷୋଭକାରୀ ଏଠାରେ ସୁରକ୍ଷିତ ନୁହନ୍ତି ବୋଲି ଜାମିଆ କୋଅର୍ଡିନେଶନ କମିଟି (ଜେସିସି) ପକ୍ଷରୁ କୁହାଯାଇଛି। ସିଏଏ ଓ ଏନ୍‌ଆର୍‌ସି ବିରୋଧରେ ବିକ୍ଷୋଭ ଜାରି ରହିବ ବୋଲି ଜେସିସି କହିଛି। ପ୍ରକାଶଥାଉ କି, ଶାହିନବାଗ୍‌ରେ ଗତ ଦୁଇଦିନ ତଳେ ଗୁଳି ଫୁଟିଥିଲା। ଡାଲୁପୁରାର କପିଲ ଗୁଜ୍ଜର ନାମକ ଜଣେ ବ୍ୟକ୍ତିଙ୍କୁ ଏଥିଲାଗି ଗିରଫ କରାଯାଇଥିଲା। ୪ ଦିନ ପୂର୍ବରୁ ସିଏଏ ବିରୋଧୀ ବିକ୍ଷୋଭ ବେଳେ ଦିଲ୍ଲୀରେ ଗୁଳିମାଡ଼ କରାଯାଇଥିଲା। ଏଥିରେ ଜଣେ ଜାମିଆ ଛାତ୍ର ଆହତ ହୋଇଥିଲେ।

Share