ଜାମିଆ ଛାତ୍ରଙ୍କ ସପକ୍ଷରେ ବାହାରିଲେ ଅଭିନେତ୍ରୀ ସୋନମ କପୁର

ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରି ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଚର୍ଚ୍ଚାକୁ ଆସିଛି। ଏଠାକାର ଛାତ୍ରମାନେ ଏହି ଆଇନକୁ ତୀବ୍ର ବିରୋଧ କରିଛନ୍ତି। ଏନେଇ ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ ହୋଇପଡିଥିବାବେଳେ ସେମାନଙ୍କୁ ସମର୍ଥନ କରିଛନ୍ତି ଦେଶର ଅନ୍ୟ କେତେକ ବିଶ୍ୱବିଦ୍ୟାଳୟ ଓ ଛାତ୍ର ସଂଗଠନ। ବଲିଉଡ ସେଲେବ୍ରିଟିମାନେ ମଧ୍ୟ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଥିରେ ସାମିଲ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର। ସେ ପ୍ରସିଦ୍ଧ ଚିତ୍ରକାର ଏମଏଫ ହୁସେନଙ୍କ ଦ ଇଣ୍ଡିଆନ୍‌ ସିଭିଲାଇଜେସନ୍‌ ସିରିଜ୍‌ର ଏକ ପେଣ୍ଟିଂ ପୋଷ୍ଟ କରି କ୍ଷୋଭ ପ୍ରକାଶ କରିଛନ୍ତି। ଏହି ପେଣ୍ଟିଂରେ ହିନ୍ଦୁ, ମୁସଲମାନ ଏବଂ ଶିଖ୍‌ ଏକ ପରିବାରରେ ରୂପରେ ଦେଖାଯାଇଛି। ସମସ୍ତ ପରିବାର ନିଜ ନିଜ ପୂଜା ପଦ୍ଧତି ମୁତାବକ କାମ କରୁଥିବା ନଜର ଆସିଛନ୍ତି। ସୋନମ ପୋଷ୍ଟରେ ଲେଖିଛନ୍ତି, ସାରା ବିଶ୍ୱ ଧୀରେ ଧୀରେ କ୍ରୁରତାରେ ପରିବର୍ତ୍ତନ ହେବାରେ ଲାଗିଛି। ମୁଁ ଆସିବାକୁ ଥିବା ତୋଫାନକୁ ଶୁଣିପାରୁଛି। ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ଅନୁଭବ କରିପାରୁଛି। କିନ୍ତୁ ଯେବେ ଆକାଶକୁ ଚାହୁଁଛି, ଲାଗୁଛି ଯେମିତି ସବୁକିଛି ବଦଳି ଯିବ। ଶାନ୍ତି ପୁଣି ଫେରିଆସିବ। ସୋନମଙ୍କ ଏହି ପୋଷ୍ଟକୁ ଅନେକ ୟୁଜର୍ସ ସମର୍ଥନ କରିଥିବାବେଳେ ଆଉ କେତେକ ୟୁଜର୍ସ ଟ୍ରୋଲ୍‌ କରିଛନ୍ତି।

Share