Categories: ଜାତୀୟ

ଜାମିନ ଚାହୁଁଥିଲେ ଲଗାଇବାକୁ ପଡିବ ୫ ଚାରା ୬ ମାସ ପର୍ଯ୍ୟନ୍ତ ଯତ୍ନ ବି ନେବେ

ଲକ୍ଷ୍ନୌ,୩୦।୮: ଉତ୍ତର ପ୍ରଦେଶ ବାନ୍ଦା ଜିଲା ନରେନିର ମାଜିଷ୍ଟ୍ରେଟ୍‌ ବୃକ୍ଷରୋପଣର ଏକ ନିଆରା ସୂତ୍ର ବାହାର କରିଛନ୍ତି। ‘ହରିୟାଲି ଦଣ୍ଡ’ ବା ‘ସବୁଜ ଦଣ୍ଡ’ ନାମକ ଏକ ଦଣ୍ଡ ବିଧାନର ବ୍ୟବସ୍ଥା କରି ଅପରାଧିମାନଙ୍କୁ ଏବେ ସେ ସର୍ତ୍ତମୂଳକ ଜାମିନ ଦେଉଛନ୍ତି। ଉକ୍ତ ସର୍ତ୍ତ ଅନୁଯାୟୀ, ଯେଉଁମାନେ ଜାମିନରେ ଯାଉଛନ୍ତି ସେମାନେ ୫ଟି ଚାରା ଲଗାଇବା ସହ ୬ ମାସ ପର୍ଯ୍ୟନ୍ତ ଏହାର ଯତ୍ନ ନେବାକୁ କହିଛନ୍ତି ମାଜିଷ୍ଟ୍ରେଟ୍‌ ବନ୍ଦିତା ଶ୍ରୀବାସ୍ତବ। ଏପର୍ଯ୍ୟନ୍ତ ଏହି ନିୟମ ଅନୁଯାୟୀ ପାଖାପାଖି ୫ ସହ ବୃକ୍ଷରୋପଣ କରାଯାଇଥିବା ସେ କହିଛନ୍ତି। ଜାମିନ ପାଇଥିବା ବ୍ୟକ୍ତିମାନେ ନିଜ ବାଡି ଅବା ସୁବିଧାଜନକ ସ୍ଥାନରେ ଏହି ଗଛ ଲାଗାଇଥିବା ସେ କହିଛନ୍ତି। ଏଥିରେ କୌଣସି ନିୟମକୁ ଉଲ୍ଲଂଘନ କରାଯାଇ ନ ଥିବା ବେଳେ ଲୋକଙ୍କ ଭିତରେ ପରିବେଶ ପ୍ରତି ସଚେତନା ସୃଷ୍ଟି କରାଯାଇଥିବା ସେ ପ୍ରକାଶ କରିଛନ୍ତି। ତେବେ ବ୍ୟକ୍ତି ଜଣକ ଜାମିନ ପାଇଛନ୍ତି କି ନା ତାହା ସ୍ପଷ୍ଟ କରିବାକୁ ଏମାନେ କୋର୍ଟରେ ହାଜର ହେବା ଦିନ ଲଗାଇଥିବା ଗଛ ସହ ସେଲ୍‌ଫି ନେଇ ତା’ର ଏକ କପି ଦାଖଲ କରିବାକୁ କୁହାଯାଇଛି। ପ୍ରଶ୍ନ ଉଠିଛିକି ଜଣେ ଯଦି ଏହି ସର୍ତ୍ତରେ ରାଜି ନ ହୁଅନ୍ତି ତେବେ କ’ଣ ତାଙ୍କୁ ଜାମିନ ମିଳିବନି? ଏହାର ଉତ୍ତରରେ ବନ୍ଦିତା କହିଛନ୍ତି, ସେମିତି କିଛି ନିୟମ ନାହିଁ। କିନ୍ତୁ ଯେଉଁମାନଙ୍କୁ ଜାମିନ ମିଳୁଛି ସେମାନଙ୍କୁ ଗଛ ଲଗାଇବାକୁ ପ୍ରେରଣା ଦିଆଯାଉଛି। ଆଉ ଯେଉଁମାନଙ୍କର ଗଛ ଲଗାଇବାକୁ ନିଜସ୍ବ ସ୍ଥାନ ନାହିଁ ସେମାନେ ବିଦ୍ୟାଳୟ, ପଞ୍ଚାୟତ ପୋଖରୀ ସଂଲଗ୍ନ ସ୍ଥାନରେ ଗଛ ଲଗାଇଥିବା କହିଛନ୍ତି।

Share