ଜାମିନ ନ ଦେବାରୁ ମହିଳା ଜଜ୍‌ଙ୍କୁ ଧମକ

ଥିରୁଭାନନ୍ଥପୁରମ୍‌: ଜଣେ ମାଜିଷ୍ଟ୍ରେଟ୍‌ ଏକ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିବାରୁ ଓକିଲ ତାଙ୍କୁ ମାଡ଼ ମାରିବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜଜ୍‌ଙ୍କୁ ଧମକ ଦେବା ଅପରାଧରେ ୧୨ ଓକିଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଥିରୁଭାନନ୍ଥପୁରମ୍‌ରେ ଜୁଡିସିଆଲ୍‌ ଫାଷ୍ଟକ୍ଲାସ୍‌ ମାଜିଷ୍ଟ୍ରେଟ୍‌ ଦୀପା ମୋହନ ନିଜ ଏଫ୍‌ଆଇଆରରେ ଉଲ୍ଲେଖ କରିଛନ୍ତି ଯେ, ଓକିଲମାନେ ତାଙ୍କୁ ଚ୍ୟାମ୍ବର ମଧ୍ୟରେ ବନ୍ଦ କରି ‘ତୁମେ ଜଣେ ମହିଳା ହୋଇ ନ ଥିଲେ ଚ୍ୟାମ୍ବରରୁ ଘୋଷାଡ଼ି ବାହାରି କରିଥାନ୍ତୁ ଏବଂ ମାଡ଼ ମାରିଥାନ୍ତୁ’ ବୋଲି ଧମକାଇଥିଲେ। ଏହାସହ ତୁମେ ବାହାରକୁ କେମିତି ବାହାରିବ ଆମେ ଦେଖିବୁ ବୋଲି ମଧ୍ୟ ଧମକ ଦେଇଥିଲେ। ଗତ ବୁଧବାର ରାଜ୍ୟ ସଡ଼କ ପରିବହନ ନିଗମର ଜଣେ ଗାଡ଼ିଚାଳକଙ୍କୁ ଜାମିନ ନ ଦେବାରୁ ଓକିଲମାନେ ଏପରି ଧମକ ଦେଇଥିବା ସେ ଉଲ୍ଲେଖ କରିଛନ୍ତି। କୌଣସି ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ କୋର୍ଟ ବନ୍ଦ ରହିବ ବୋଲି ଓକିଲମାନେ କୋର୍ଟ ପରିସରରେ ଉପସ୍ଥିତ ଲୋକମାନଙ୍କୁ ମଧ୍ୟ କୋର୍ଟ ଛାଡ଼ିବାକୁ କହି କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଜଜ୍‌ ଅଭିଯୋଗ କରିଛନ୍ତି। ଧମକ ଦେଇଥିବା ଓକିଲଙ୍କ ମଧ୍ୟରେ ବାର୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଏବଂ ସମ୍ପାଦକ ମଧ୍ୟ ସାମିଲ ଥିବା ସେ କହିଛନ୍ତି। ତେବେ ଏହି ମାମଲାରେ କେରଳ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଜଜ୍‌ ଓକିଲମାନଙ୍କ ବିରୋଧରେ ଏତଲା ଦେଇଛନ୍ତି।

Share