ଜାମିନ ପାଇଁ ପୁଣି ହାଇକୋର୍ଟରେ ପୁଞ୍ଜିଲାଲ

କଟକ ଅଫିସ,୧୭ା୧: ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିବା ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଜାମିନ ପାଇଁ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାପୂର୍ବରୁ ପୁଞ୍ଜିଲାଲ ମା’ଙ୍କୁ ମୁଖାଗ୍ନି ଦେବା ନିମନ୍ତେ ଗୋଟିଏ ଦିନ ଜାମିନରେ ଯାଇଥିଲେ। ମୁଖାଗ୍ନି ଦେଇ ଜେଲ୍‌କୁ ଫେରିବା ପରେ ସେ ନିୟମିତ ଜାମିନ ଆବେଦନ କରିଥିଲେ। ଫଳରେ ତାଙ୍କ ଓକିଲ ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ହାଇକୋର୍ଟ ମଧ୍ୟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ସୂଚନାଥାଉ କି, ଏହି ସମ୍ବେଦନଶୀଳ ଘଟଣା ୨୦୧୮ ଫେବୃୟାରୀ ୨୩ ତାରିଖରେ ଘଟିଥିଲା। ପାଟଣାଗଡ଼ ଅଞ୍ଚଳର ନବବିବାହିତ ସୌମ୍ୟଶେଖର ସାହୁଙ୍କ ପାଖକୁ ଏକ ପାର୍ସଲ ଆସିଥିଲା। ଏହି ପାର୍ସଲ ଖୋଲିବା ମାତ୍ରେ ତାହା ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟ ଓ ତାଙ୍କ ଜେଜେମା’ ଜେମାମଣିଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସୌମ୍ୟଙ୍କ ସ୍ତ୍ରୀ ରିମା ଗୁରୁତର ହୋଇଥିଲେ। ଉକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୨୦୧୮ ଏପ୍ରିଲ ୨୫ରେ ପୁଞ୍ଜିଲାଲଙ୍କୁ ଗିରଫ କରାଯାଇଥିଲା।

Share