ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଶୀର୍ବାଦ

କଟକ ଅଫିସ,୧୫ା୧୦: ଅର୍ଥତତ୍ତ୍ବ(ଏଟି) ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଜାମିନ ପାଇଁ ସୋମବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ଆଶୀର୍ବାଦ ସିବିଆଇ ସ୍ପେଶାଲ କୋର୍ଟ ଏବଂ ଭୁବନେଶ୍ୱର ସେସନ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ଉଭୟ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ପରେ ଆଶୀର୍ବାଦ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି। ଆଶୀର୍ବାଦଙ୍କ ପକ୍ଷରୁ ଆଇନଜୀବୀ ପ୍ରଭୁପ୍ରସନ୍ନ ବେହେରା ଓ ପ୍ରଣୟ ଦାସ ଏହି ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଓଡ଼ିଶା ରଣଜୀ କ୍ରିକେଟ ଦଳର ପ୍ରାୟୋଜକ ହେବା ପାଇଁ ଅର୍ଥତତ୍ତ୍ବ ଓସିଏକୁ ୧ କୋଟି ଟଙ୍କା ଦେଇଥିଲା। ୨୦୧୧ରେ ଅନୁଷ୍ଠିତ ଓଡ଼ିଶା ପ୍ରିମିୟର ଲିଗ୍‌(ଓପିଏଲ୍‌)ର ପ୍ରାୟୋଜକ ଥିଲା ଅର୍ଥତତ୍ତ୍ବ। ଏହି ଚିଟ୍‌ଫଣ୍ଡ ସଂସ୍ଥା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ବହୁ ଜମାକାରୀଙ୍କ କୋଟିକୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ସିବିଆଇ କରୁଥିବାବେଳେ ଅର୍ଥତତ୍ତ୍ବ ସହ ଆଶୀର୍ବାଦଙ୍କ ଲିଙ୍କ୍‌ ଥିବା ସୂଚନା ମିଳିଥିଲା। ଅନ୍ୟପକ୍ଷରେ ଓଡ଼ିଶା ଅଲିମ୍ପିକ ଆସୋସିଏଶନର ସମ୍ପାଦକ ଥିବାବେଳେ ସରକାରୀ ଜମିରେ କଲ୍ୟାଣ ମଣ୍ଡପ ଓ ଦୋକାନ ଗୃହ ନିର୍ମାଣ କରିବା ମାମଲାରେ ମଧ୍ୟ ଆଶୀର୍ବାଦଙ୍କ ସମ୍ପୃକ୍ତି ଥିବା ନେଇ ସିବିଆଇ ତଦନ୍ତରୁ ଜାଣିବାକୁ ପାଇଥିଲା। ଏ ନେଇ ଆଶୀର୍ବାଦଙ୍କୁ ବହୁବାର ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଜେରା କରାଯାଇଥିଲା। ତେବେ ଗତ ସେପ୍ଟେମ୍ବର ୧୯ରେ ସିବିଆଇ ଆଶୀର୍ବାଦଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ସିବିଆଇ ବିଚାରବିଭାଗୀୟ ହାଜତରେ ରହିଥିବାବେଳେ ଆଶୀର୍ବାଦ ଅସୁସ୍ଥ ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସ୍‌ସିବି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

Share