Advertisement

ଜାମିନ ସର୍ତ୍ତରେ କୋହଳ ଲାଗି ହାଇକୋର୍ଟରେ ସାରଥିଙ୍କ ଆବେଦନ

କଟକ ଅଫିସ, ୩୧ା୮: ପ୍ରାୟ ୪ ବର୍ଷ ଜେଲ୍‌ରେ ରହିବା ପରେ ସାରଥି ବାବା ଓରଫ ସନ୍ତୋଷ ରାଉଳ ଗତ ଜୁଲାଇ ୨୫ରେ ଜାମିନରେ ମୁକୁଳିଥିଲେ। ଏକାଧିକ ସର୍ତ୍ତ ରଖି ହାଇକୋର୍ଟ ସାରଥିଙ୍କୁ ଜାମିନ ଦେଇଥିଲେ। ତେବେ ଉକ୍ତ ସର୍ତ୍ତ ପରିବର୍ତ୍ତନ ଓ କୋହଳ କରିବା ଲାଗି ସାରଥି ଶୁକ୍ରବାର ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ନିଜ ଖର୍ଚ୍ଚ ଭରଣା କରିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ, ସେଥିପାଇଁ ତାଙ୍କୁ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ପ୍ରବଚନ ଜରିଆରେ ସେ ଗୁଜୁରାଣ ମେଣ୍ଟାଉଥିଲେ। ସେହିପରି ପ୍ରବଚନ ଶୁଣିବା ଲାଗି ଅନେକ ବ୍ୟକ୍ତି ଇଚ୍ଛା କରୁଛନ୍ତି। କିନ୍ତୁ ଜାମିନ ସର୍ତ୍ତ ନିମନ୍ତେ ସେ ପ୍ରବଚନ ଦେଇପାରୁନାହାନ୍ତି। ଫଳରେ ତାଙ୍କ ଉପାର୍ଜନର ମୁଖ୍ୟ ବାଟ ବନ୍ଦ ହୋଇଯାଇଛି। ତେଣୁ ତାଙ୍କୁ ପ୍ରବଚନ ଦେବା ପାଇଁ ଅନୁମତି ପ୍ରଦାନ କରିବାକୁ ସେ ଆଇନଜୀବୀ ମାନସ ଚାନ୍ଦଙ୍କ ଜରିଆରେ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ସାରଥି ପୀଡ଼ିତା କିମ୍ବା ମାମଲାର ସାକ୍ଷୀଙ୍କ ସହ ସେ କୌଣସି ଯୋଗାଯୋଗ କରିବେ ନାହିଁ, ଭକ୍ତ କିମ୍ବା ଅନୁଗାମୀମାନଙ୍କୁ ନେଇ ରାଲି କରିପାରିବେ ନାହିଁ କିମ୍ବା କେନ୍ଦ୍ରାପଡ଼ା ଜିଲାର ବାରିମୂଳ ଆଶ୍ରମ ଯାଇପାରିବେ ନାହିଁ ଆଦିି କେତେକ ସର୍ତ୍ତ ହାଇକୋର୍ଟ ଜାମିନ ଦେବା ବେଳେ ଲାଗୁ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share