ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୯ଟାରୁ ଆରମ୍ଭ ହୋଇଯାଉଛି ତାତି। ଅପରାହ୍ନ ୫ଟା ଯାଏ ଗ୍ରୀଷ୍ମ ପ୍ରକୋପ ଲାଗି ରହୁଛି। ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଦେହ ମୁଣ୍ଡକୁ ଝାଇଁ ଝାଇଁ କରି ଦେଇଛି। ରବିବାର ଭଳି ସୋମବାର ମଧ୍ୟ ରାଜ୍ୟର ୧୦ ସହରର ପାରଦ ୪୦ ଡିଗ୍ରୀ ସେଲସିୟସ ଉପରକୁ ଉଠିଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ଏବଂ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀର ୪୧.୨, ଚାନ୍ଦବାଲି ୪୦.୭, କଟକ ୪୦.୧, ଅନୁଗୋଳ ୪୦.୭, ବାରିପଦା ୪୧, ତାଳଚେରର ୪୦.୫, ମାଲକାନଗିରି ୪୦.୨, ନୟାଗଡ଼ ୪୦, ବାୈଦ୍ଧ ୪୦.୫, ଭବାନୀପାଟଣା ୩୯.୫ ଏବଂ ସୋନପୁରରେ ସର୍ବାଧିକ ୩୯.୪ ଡିଗ୍ରୀ ସେଲସିୟସ ରେକଡର୍ର୍ କରାଯାଇଛି। ଆସନ୍ତା କିଛିଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଉପକୂଳ ଓଡ଼ିଶାରେ ପାରଦ ୪୦ଡିଗ୍ରୀ ସେଲସିୟସ ଉପରେ ରହିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ତାତି ସାମାନ୍ୟ କମିବ। କାଳବୈଶାଖୀ ଜନିତ ବର୍ଷା ଯୋଗୁ ଆସନ୍ତା ୨୦ ଏବଂ ୨୧ ତାରିଖରେ ପାରଦ ସାମାନ୍ୟ କମିବା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବା ସହ କନ୍ଧମାଳ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବାଲେଶ୍ୱର, ପୁରୀ ଓ ଭଦ୍ରକ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି।

Share