Categories: ବାଣିଜ୍ୟ

ଜାରି ରହିବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ଅବଧି ଏବେ ମେ ୩ ତାରିଖକୁ ବୃଦ୍ଧି ହୋଇଥିବା ବେଳେ ପୂର୍ବଭଳି ବ୍ୟାଙ୍କ ଏବଂ ବୀମା ସେବା ଜାରି ରହିବ। ଲୋକଙ୍କ ଆର୍ଥତ୍କ ଆବଶ୍ୟକତାକୁ ବିଚାର କରି ଏହି ସେବାଗୁଡିକ ଜାରି ରହିବ ବୋଲି ସରକାର ବୁଧବାର କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଲାଗି ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଲୋକଙ୍କ ଅସୁବିଧାକୁ ଦୂରକରିବା ଲାଗି ସରକାର ଆଉ କିଛି ଅତିରିକ୍ତ କ୍ଷେତ୍ରକୁ କାର୍ଯ୍ୟ ପରିଚାଳନା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଅନୁପାଳନ ନିୟମ କଡ଼ାକଡି ଭାବେ ପାଳନ କରିବା ଲାଗି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜିଲା ପ୍ରଶାସନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିିଛି। ପରିବର୍ତ୍ତିତ ଗାଇଡଲାଇନ ମୁତାବକ ବ୍ୟାଙ୍କିଙ୍ଗ ସେବା ଲାଗି ଆଇଟି ଭେଣ୍ଡର, ବ୍ୟାଙ୍କିଙ୍ଗ କରେସପଣ୍ଡେଣ୍ଟ, ଏଟିଏମ୍‌ ପରିଚାଳନା ଏବଂ କ୍ୟାଶ ପରିଚାଳନା ଏଜେନ୍ସିଗୁଡିକ ମଧ୍ୟ କାମ କରିପାରିବେ।
ସାଧାରଣ କାର୍ଯ୍ୟ ସମୟ ଅନୁସାରେ ବ୍ୟାଙ୍କଗୁଡିକ କାମ କରିବେ। ଲୋକଙ୍କ ନିକଟକୁ ପ୍ରତ୍ୟକ୍ଷ ଟଙ୍କା ହସ୍ତାନ୍ତର ବା ଡିବିଟି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ଏଭଳି କାମ କରିବେ। ବ୍ୟାଙ୍କଶାଖାରେ ସାମାଜିକ ଦୂରତ୍ୱ ରକ୍ଷା ସହ ନିରାପତ୍ତା କର୍ମଚାରୀ ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ରିଜର୍ଭ ବ୍ୟାଙ୍କ, ବିଭିନ୍ନ ବ୍ୟାଙ୍କ ଶାଖା, ଏଟିଏମ୍‌, କ୍ୟାପିଟାଲ ମାର୍କେଟ ଏବଂ ଡେଟ୍‌ ମାର୍କେଟ ମଧ୍ୟ ଏହି ସୟମରେ ପରିଚାଳିତ ହୋଇ ପାରିବ। ଦେଶର ଶିଳ୍ପ କ୍ଷେତ୍ରକୁ ଯେଭଳି ପୁଞ୍ଜି ଯୋଗାଣ ସୁଗମ ହୋଇପାରିବ ସେ ଦିଗରେ ଅଂଶୀଦାରମାନେ ଯୋଗଦାନ ରଖିବାର ଆବଶ୍ୟକତା ରହିଛି ବୋଲିି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରିବା ସହ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରିବା ଲାଗି କୁହାଯାଇଛି।
ଡିଜିଟାଲ ଅର୍ଥ ବ୍ୟବସ୍ଥାକୁ ଚଳାଇବା ଲାଗି ଇ-କମର୍ସ, ଆଇଟି ଏବଂ ଆଇଟି ଭିତ୍ତିକ ସେବା, ଜରୁରିକାଳୀନ ସେବା ଲାଗି ଡାଟା ଏବଂ କଲ୍‌ ସେଣ୍ଟର ପରିଚାଳନାକୁ ମଧ୍ୟ ଅନୁମତି ଦିଆଯାଇଛି। ଅନଲାଇନ ଶିକ୍ଷାଦାନ ଏବଂ ଡିଷ୍ଟାନ୍ସ ଲର୍ନିଂକୁ ମଧ୍ୟ ଅନୁମତି ମିଳିଛି।

Share