Categories: ବାଣିଜ୍ୟ

ଜାରି ହେବନି ଉପଭୋକ୍ତା ଖର୍ଚ୍ଚ ସର୍ଭେ

ନୂଆଦିଲ୍ଲୀ,୧୬-୧୧: ଦେଶ ମଧ୍ୟରେ କଞ୍ଜ୍ୟୁମର ସ୍ପେଣ୍ଡିଂ (ଉପଭୋକ୍ତା ଖର୍ଚ୍ଚ) ସର୍ବନିମ୍ନ ସ୍ତରକୁ ଖସିଥିବା ଏକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାର ଶୁକ୍ରବାର ସଂଧ୍ୟାରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ରିପୋର୍ଟ ତଥ୍ୟର ଗୁଣବତ୍ତା ଠିକ୍‌ ନ ଥିବା କାରଣରୁ ୨୦୧୭-୧୮ ବର୍ଷର ଉପଭୋକ୍ତା ଖର୍ଚ୍ଚ ସର୍ଭେକୁ ସରକାର ଜାରି କରିବେ ନାହିଁ ବୋଲି କୁହାଯାଇଛି। ଗ୍ରାମାଞ୍ଚଳରେ ଚାହିଦା କମିବାରୁ ୪ ଦଶନ୍ଧି ମଧ୍ୟରେ ପ୍ରଥମଥର ଲାଗି କଞ୍ଜ୍ୟୁମର ସ୍ପେଣ୍ଡିଂ ସର୍ବନିମ୍ନ ସ୍ତରକୁ ଖସିଥିବା ଗଣମାଧ୍ୟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ସରକାର ଖଣ୍ଡନ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଡାଟାର ପୁନଃନିରୀକ୍ଷଣ ଲାଗି ଏକ ବିଶେଷ ପ୍ରକ୍ରିୟାର ସହାୟତା ନିଆଯାଇଥାଏ। ଯେଉଁ ଥିରେ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ୱ ସହ ଗ୍ରହଣ କରାଯାଏ। ଏହା ପରେ ଏହାର ମୂଲ୍ୟାଙ୍କନ ହୋଇଥାଏ। ଏନ୍‌ଏସ୍‌ଏସ୍‌ଓର ସବୁ ସର୍ଭେ ରିପୋର୍ଟକୁ ଏକତ୍ର କରିବା ପରେ ପୁଣି ଥରେ ଏହାର ଜଟିଳ ମୂଲ୍ୟାୟନ କରାଯାଏ। ସବୁ ପ୍ରକ୍ରିୟା ଶେଷ ହେବା ପରେ ଯାଇ ଏହାକୁ ସାର୍ବଜନୀନ କରାଯାଇଥାଏ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏନ୍‌ଏସ୍‌ଓ ପକ୍ଷରୁ ନିକଟରେ ହୋଇଥିବା ଖାଉଟି ଖର୍ଚ୍ଚ ସର୍ଭେ ‘ କି ଇଣ୍ଡିକେଟର୍ସ, ହାଉସହୋଲ୍ଡ କଞ୍ଜ୍ୟୁମର ଏକ୍ସପେଣ୍ଡିଚର ଇନ୍‌ ଇଣ୍ଡିଆ’ ସର୍ଭେ ମୁତାବକ, ୨୦୧୭-୧୮ ଆର୍ଥତ୍କ ବର୍ଷରେ ଜଣେ ଲୋକର ମାସିକ ହାରାହାରି ଖର୍ଚ୍ଚ ୩.୭% ହ୍ରାସ ଘଟି ୧୪୪୬ ଟଙ୍କା ରହିଛି। ଏହା ଆର୍ଥତ୍କ ବର୍ଷ ୨୦୧୧-୧୨ରେ ୧୫୦୧ ଟଙ୍କା ରହିଥିଲା। ସର୍ଭେ ମୁତାବକ ୨୦୧୧-୧୨ରେ ବ୍ୟକ୍ତି ପିଛା ମାସିକ ଖର୍ଚ୍ଚ ୧୩% ବଢିଥିଲା। ଏହି ଅଭିବୃଦ୍ଧି ଏହାର ପୂର୍ବ ଦୁଇ ବର୍ଷରେ ହାସଲ ହୋଇଥିଲା। ୨୦୦୯-୧୦ କୁ ମୂଳ ବର୍ଷ ଭାବେ ଧରି ମୁଦ୍ରାସ୍ଫୀତିକୁ ଏଥିରେ ବିଚାର କରାଯାଇଛି। ବର୍ତ୍ତମାନର ସର୍ଭେ ୨୦୧୭ ଜୁଲାଇଠାରୁ ଜୁନ ୨୦୧୮ ମଧ୍ୟରେ କରାଯାଇଛି। ଗତ ୬ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ବ୍ୟକ୍ତିଗତ ଖର୍ଚ୍ଚ ୮.୮% ହାରରେ କମିଛି। ସେହିଭଳି ସହରାଞ୍ଚଳରେ ଏହି ଖର୍ଚ୍ଚ ୨% ହାରରେ କମିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Share