Categories: ଗଞ୍ଜାମ

ଜାଲ୍‌ ପ୍ରମାଣପତ୍ର ଦେଇ ନିଯୁକ୍ତି ପ୍ରସଙ୍ଗ : ଯାଞ୍ଚ ହେବ ଜୁନିୟର, ରେଗୁଲାର ଶିକ୍ଷକଙ୍କ ପ୍ରମାଣପତ୍ର

ଛତ୍ରପୁର,୩୦ା୬(ଡି.ଏନ.ଏ.)-ଜାଲ ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଦେଇ କେତେଜଣ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଆସୁଛି। ଏଥିପାଇଁ ସମସ୍ତ ଜୁନିୟର ଓ ରେଗୁଲାର ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ହେବ। ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପି କେ ମହାପାତ୍ରଙ୍କ ଠାରୁ ୨୭ ତାରିଖରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କୁ ଏକ ନିର୍ଦ୍ଦେଶନାମା (ନଂ-୧୩୨୧୬) ଆସିଛି। କେତେକ ଶିକ୍ଷା ସହାୟକ ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇବା ପରେ ଏବେ ସେଥିରୁ କେତେକ ଜୁନିୟର ଶିକ୍ଷକ ଓ ପରେ ରେଗୁଲାଇ ଜୁନିୟର ଶିକ୍ଷକ ହୋଇଛନ୍ତି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଆସୁଥିଲା। ଏହାକୁ ବିଭାଗ ଗୁରୁତ୍ୱର ସହ ନେଇ ସମସ୍ତ ଜୁନିୟର ଶିକ୍ଷକ ଓ ରେଗୁଲାର ଜୁନିୟର ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରିବାକୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିବାକୁ ଉକ୍ତ ଚିଠିରେ କୁହାଯାଇଛି। ୨୦୧୧ ଜାନୁୟାରୀ ୧ରୁ ଏପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ସମସ୍ତ ଜୁନିୟର ଶିକ୍ଷକଙ୍କର ପ୍ରମାଣପତ୍ର ସର୍ବଶିକ୍ଷା ଅଭିଯାନର ଡିପିସି ଯାଞ୍ଚ କରିବେ। ସେହିପରି ରେଗୁଲାଇ ଜୁନିୟର ଶିକ୍ଷକଙ୍କ ପ୍ରମାଣପତ୍ର ବିଇଓ ଯାଞ୍ଚ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ କାର୍ଯ୍ୟର ମନିଟରିଂ ପାଇଁ ରାଜ୍ୟ ସ୍ତରରେ ଏକ କମିଟି ମଧ୍ୟ ଗଠନ ହୋଇଛି। ଯାଞ୍ଚ ବେଳେ କାହାର ଯଦି ପ୍ରମାଣପତ୍ର ଜାଲ୍‌ ବୋଲି ଜଣାପଡେ ତେବେ ତୁରନ୍ତ ତାଙ୍କ ନଁାରେ ଥାନାରେ ଏତଲା ଦିଆଯିବା ସହ ଚାକିରୀରୁ ବରଖାସ୍ତ କରିବାକୁ କୁହାଯାଇଛି। ଏଥିରେ ଅବହେଳା କଲେ ଯାଞ୍ଚ ପାଇଁ ନିଯୁକ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ସତର୍କ କରାଇଦେଇଛନ୍ତି। ଏହି ଯାଞ୍ଚ ପ୍ରକ୍ରିୟା ୩ ମାସ ମଧ୍ୟରେ ଅର୍ଥାତ୍‌ ସେପ୍ଟେମ୍ବର ୩୦ ସୁଦ୍ଧା ସରିବ।