ଜାଳେଣିରୁ ଜଙ୍ଗଲ ମୋହ

କାମାକ୍ଷାନଗର, ୨୪।୧
(ସୁଧୀର କୁମାର ପରିଡ଼ା)

ସୂର୍ଯ୍ୟ ଉଇଁଲେ ଆରମ୍ଭ ହୁଏ ଅଭିଯାନ। କାନ୍ଧରେ କୁରାଢ଼ି, ହାତରେ ଠେଙ୍ଗା ଧରି ଦଳେ ପଶନ୍ତି ଜଙ୍ଗଲ ଭିତରକୁ। ଦିନତମାମ ବଣଡଙ୍ଗରରେ ବୁଲନ୍ତି। ତନାଘନା କରନ୍ତି। ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଥାନ୍ତି ଆଉ ଦଳେ। ଦିନେ ନୁହେଁ କି ଦୁଇଦିନ, ଦୀର୍ଘ ୨୮ବର୍ଷ ହେଲା ଦିନରାତି ଏକ୍‌ କରି ଜଙ୍ଗଲକୁ ନିଜ ସନ୍ତାନ ଭଳି ସୁରକ୍ଷା ଦେଇ ଆସୁଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର କାନପୁରାବାସୀ। ଜାଳେଣିରୁ ଜଙ୍ଗଲ ମୋହରେ ପଡ଼ିଥିବା ଗ୍ରାମବାସୀଙ୍କ ନିଷ୍ଠାପର ଉଦ୍ୟମ ଲାଗି ଏବେ ହେକ୍ଟର ହେକ୍ଟର ସବୁଜ ବନାନୀରେ ହସୁଛି ଅନନ୍ତପୁର ସଂରକ୍ଷିତ ଜଙ୍ଗଲ।
ଏକଦା ଉଜୁଡ଼ି ଯାଇଥିବା ଜଙ୍ଗଲ ଗ୍ରାମବାସୀଙ୍କ ପାଇଁ ସୃଷ୍ଟି କରିଥିଲା ଜାଳେଣି ସମସ୍ୟା। ଏହାର ସମାଧାନ କରିବାକୁ ଅଣ୍ଟା ଭିଡ଼ିଥିଲେ ସେମାନେ। ନୂଆ ଜଙ୍ଗଲ ସୃଷ୍ଟି କରିବା ଏବଂ ସେଥିରୁ ଜାଳକାଠ ସଂଗ୍ରହ କରିବା ଉଦ୍ଦେଶ୍ୟ ନେଇ ଏକାଠି ହେଲେ ଅଞ୍ଚଳବାସୀ। ଅନାବନା ଗଛ ସଫା କରି ଶାଳ, ପିଆଶାଳ ଭଳି ମୂଲ୍ୟବାନ ଗଛ ଲଗାଇଲେ। ୧୯୯୨ରୁ ଆରମ୍ଭ ହୋଇଥିବା ଏହି ମହତ୍‌ ଲକ୍ଷ୍ୟ ଦିନ ବିତିବା ସହ ଆହୁରି ଦୃଢ଼ ହୋଇଛି। ଗ୍ରାମବାସୀ ‘କାନପୁରା ପ୍ରକୃତି ସୁରକ୍ଷା ସମିତି’ ଗଠନ କରି ଜଙ୍ଗଲକୁ ସୁରକ୍ଷା ଦେଇ ଚାଲିଛନ୍ତି। ସମିତି ସଦସ୍ୟଙ୍କ ଉଦ୍ୟମରେ ସୃଷ୍ଟି ହୋଇଥିବା ୨୦୦ ହେକ୍ଟର ଘଞ୍ଚ ଜଙ୍ଗଲ ଏବେ ଏହାର ମୂକସାକ୍ଷୀ। କାମାକ୍ଷାନଗର-କଙ୍କଡ଼ାହାଡ଼ ରାସ୍ତାରେ ଜିରିଡ଼ାମାଳିଠାରୁ ମାତ୍ର ୨କିମି ଗଲେ ଦେଖିବାକୁ ମିଳିବ ବିଶାଳକାୟ ଦ୍ରୁମ, ଯାହା ପଛରେ ରହିଛି ‘କାନପୁରା ପ୍ରକୃତି ସୁରକ୍ଷା ସମିତି’ ଗୁରୁତ୍ୱପୂର୍ଣ୍ଣ ଅବଦାନ। ଏହାଦ୍ୱାରା କେବଳ ଜଙ୍ଗଲ ବଢ଼ିଛି ତାହା ନୁହେଁ, ବରଂ କାଠ ମାଫିଆମାନେ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇବାକୁ ଭୟ କରୁଛନ୍ତି। ହେଲେ ଏଥିପାଇଁ ଗ୍ରାମବାସୀଙ୍କୁ କମ୍‌ କଷ୍ଟ କରିବାକୁ ପଡ଼ିନି। ମୂଲ୍ୟବାନ ଜଙ୍ଗଲକୁ କାଠ ମାଫିଆଙ୍କ କବଳରୁ ବଞ୍ଚାଇବାକୁ ସେମାନେ ସକାଳୁ ସନ୍ଧ୍ୟା ଏବଂ ସନ୍ଧ୍ୟାରୁ ସକାଳ ଯାଏ ଦୁଇ ପର୍ଯ୍ୟାୟରେ ଜଗୁଛନ୍ତି। କେବଳ ଏତିକି ନୁହେଁ, ଜଙ୍ଗଲ ସୁରକ୍ଷା ସମିତି ଗ୍ରାମବାସୀଙ୍କୁ ଏକାଠି ବାନ୍ଧି ରଖିବାରେ ସହାୟକ ହୋଇଛି। ସେମାନଙ୍କ ଦ୍ୱାରା ପରିଚାଳିତ ପଞ୍ଚାୟତିରାଜ ହାଇସ୍କୁଲ ଏବେ ରାଜ୍ୟର ଅନ୍ୟତମ ସଫଳ ଶିକ୍ଷାନୁଷ୍ଠାନ ମଧ୍ୟରୁ ଗୋଟିଏ। ମହତ୍‌ ଉଦ୍ଦେଶ୍ୟ ନେଇ ଲକ୍ଷ୍ୟପଥରେ ଆଗେଇଗଲେ ସଫଳତା ନିଶ୍ଚିତ, ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି କାନପୁରାବାସୀ।

Share