ଜାହାଜରେ ଫସିଲେ ସୋନାଲୀ: ଭାରତ ସରକାରଙ୍କୁ ସାହାଯ୍ୟ ଲୋଡିଲେ

ଟୋକିଓ,୧୪।୨: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନାଭାଇରସ୍‌ ଏବେ ପୂରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହି ଭୂତାଣୁରେ ସଂକ୍ରମିତ ହୋଇ ଏଯାଏଁ ଚାଇନାରେ ୧୪୮୦ ଜଣଙ୍କ ଜୀବନ ଯାଇଥିବା ବେଳେ ୪୮୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ଅଛନ୍ତି। ଇତିମଧ୍ୟରେ ଜାପାନର ୟୋକାହାମା ପୋର୍ଟରେ ଡାଇମଣ୍ଡ ପ୍ରିନ୍ସସେସ୍‌କୁ ଜାହାଜ ସରକାର ଅଟକାଇ ରଖିଛନ୍ତି। ଏହି ଜାହାଜରେ ୨୧୯ ଯାତ୍ରୀ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା କୁହାଯାଉଛି। ଯେଉଁଥିରେ ୨ଜଣ ଭାରତୀୟ ମଧ୍ୟ ରହିଥିବା ଜଣାପଡ଼ିଛି। ଜାହାଜରେ କ୍ରୁ ଓ ଯାତ୍ରୀଙ୍କୁ ମିଶାଇ ପ୍ରାୟ ୧୩୮ ଭାରତୀୟ ରହିଛନ୍ତି। ଏତେ ମାତ୍ରାରେ ପଜେଟିଭ୍‌ ମାମଲା ମିଳିବା ପରେ ଜାପାନ ପ୍ରଶାସନ ଏହି ଜାହାଜକୁ ସମସ୍ତଙ୍କଠାରୁ ଦୂରେଇ ରଖିଛନ୍ତି। କିନ୍ତୁ ଜାହାଜରେ ଯେଉଁମାନେ ସଂକ୍ରମିତ ହୋଇନାହାନ୍ତି ସେମାନଙ୍କ ପାଇଁ ଏବେ ସମସ୍ୟା ବଢ଼ିବାରେ ଲାଗିଛି। ଏହି ଜାହାଜରେ ସିକ୍ୟୁରିଟି ଅଫିସର ଭାବେ କାର୍ଯ୍ୟ କରୁଥିବା ମୁମ୍ବାଇର ସୋନାଲୀ ଠକ୍କର ମଧ୍ୟ ଫସିରହିଛନ୍ତି। ଏଥିରେ ଅଧିକ ଦିନ ପର୍ଯ୍ୟନ୍ତ ରହିଲେ ସଂକ୍ରମିତ ହେବା ଭୟରେ ଏଠାରୁ ତୁରନ୍ତ ଉଦ୍ଧାର କରିବା ପାଇଁ ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ୧୦ ଦିନରୁ ଊର୍ଦ୍ଧ୍ୱ ହେବ ସେ ଏହି ଜାହାଜରେ ରହିଥିବା ବେଳେ ଏଥିରେ ଯେଉଁମାନେ ଅଛନ୍ତି ତାଙ୍କୁ ଯାଞ୍ଚ କରାଯାଇ ସଂକ୍ରମିତଙ୍କୁ ଅଲଗା ରଖାଯାଉ ବୋଲି ସୋନାଲୀ କହିଛନ୍ତି। ଏନେଇ ତାଙ୍କ ପରିବାରଲୋକେ ମଧ୍ୟ ଚିନ୍ତିତ ରହିଛନ୍ତି। ଅପରପକ୍ଷେ ଜାହାଜରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ବିଦେଶ ମନ୍ତ୍ରଣାଳୟ ଉଦ୍ୟମ ଜାରି ରଖିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Share