ଜିଆରଏସ୍‌ଙ୍କ ବିରୋଧରେ ସରପଞ୍ଚ, ସମିତି ସଭ୍ୟାଙ୍କ ଅଭିଯୋଗ

ଛତିଆ,୨।୮(ଡିଏନ୍‌ଏ)- ବଡଚଣା ପଞ୍ଚାୟତ ସମିତି ଅଧୀନ ସମିଆଁ ପଞ୍ଚାୟତର ଜଣେ ଜିଆର୍‌ଏସ୍‌ଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ସରପଞ୍ଚ ଓ ସମିତି ସଭ୍ୟ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି।
ପ୍ରକାଶ ଯେ, ସମିଆଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦବୀଗୁଡିକ ଦଳିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ସରପଞ୍ଚ ଭାବେ କାମିନୀ ବେହେରା ଓ ସମିତି ସଭ୍ୟା ଭାବେ ମାନା ସେଠୀ ନିର୍ବାଚିତ ହୋଇଥିଲେ। ମାତ୍ର ଜିଆର୍‌ଏସ୍‌ ଉଭୟ ମହିଳାଙ୍କୁ ଉପେକ୍ଷା କରି ଜଣେ ପଞ୍ଚାୟତସ୍ତରୀୟ ନେତାଙ୍କୁ ଧରି ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ନିୟମକୁ ଉପେକ୍ଷା କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର କାର୍ଯ୍ୟାଦେଶ ଜିଆର୍‌ଏସ୍‌ ନିଜ ଇଚ୍ଛା ଅନୁସାରେ ଲୋକଙ୍କୁ ଦେଇ ନିଜେ ଠିକାଦାରୀ କରୁଛନ୍ତି। ସରକାରଙ୍କ ତରଫରୁ ବିଭିନ୍ନ ଘର ନିର୍ମାଣ ପାଇଁ ଆସୁଥିବା ଏମ୍‌ଜିଏନ୍‌ଆରଇଏସ୍‌ ଅର୍ଥର ବିଲ୍‌ କରାଇବା ପାଇଁ ଲୋକଙ୍କଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଉକ୍ତ ବିଷୟରେ ବଡ଼ଚଣା ବିଡିଓଙ୍କୁ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟା ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଜିଆର୍‌ଏସ୍‌ଙ୍କ ମନମୁଖୀ କାମରେ ଅତିଷ୍ଠ ହୋଇ ସରପଞ୍ଚ ବେହେରା ଓ ସମିତି ସଭ୍ୟା ସେଠୀ ସମିଆଁ ଗ୍ରାମ ପଞ୍ଚାୟତ ଜିଆରଏସ୍‌ ତାଙ୍କୁ କାର୍ଯ୍ୟରୁ ଅନ୍ତର କରିବା ସହିତ ଉକ୍ତ ବେନିୟମ କାର୍ଯ୍ୟର ତଦାରଖ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲାପାଳ, ପ୍ରଳଳ୍ପ ସଂଯୋଜକ, ଯାଜପୁର ଓ ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି।