Categories: ବାଣିଜ୍ୟ

ଜିଏସ୍‌ଟିରୁ ଜନଧନ ଯାଏ.. ମନେ ରହିବେ ଜେଟ୍‌ଲୀ

ନୂଆଦିଲ୍ଲୀ,୨୫-୮: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କର ଶନିବାର ପରଲୋକ ହୋଇଯାଇଛି। ସେ ଜଣେ ବିଦ୍ୱାନ, ପ୍ରଖର ବକ୍ତା ଭାବେ ପରିଚିତ। ତାଙ୍କର ଅର୍ଥ, ଆଇନ ଓ ରାଜନୈତିକ କ୍ଷେତ୍ରରେ ଅସୀମ ଜ୍ଞାନ ଥିଲା। ଛାତ୍ର ରାଜନୀତିରୁ କ୍ଷମତାର କେନ୍ଦ୍ରବିନ୍ଦୁରେ ପାଦ ରଖିଥିବା ଜେଟ୍‌ଲୀ ଆଡିଶନାଲ ସଲିସିଟର ଜେନେରାଲରୁ କ୍ୟାରିୟର ଆରମ୍ଭ କରି କେନ୍ଦ୍ର ସରକାରରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଉପା ଶାସନ କାଳରେ ବିରୋଧୀ ଦଳ ନେତା ଭାବେ ରାଜ୍ୟ ସଭାରେ ନିଜର ଦମଦାର ତଥା ତର୍କପୂର୍ଣ୍ଣ ଭାଷଣ ଜରିଆରେ ଅନେକ ଥର ଶାସକ ଦଳକୁ ବ୍ୟାକଫୁଟ୍‌କୁ ଯିବା ଲାଗି ବାଧ୍ୟ କରିଥିଲେ। ଆର୍ଥିକ କ୍ଷେତ୍ରରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି), ଦେବାଳିଆ ଆଇନ ଲାଗୁକରିବା ଲାଗି ଦୃଢ଼ତାର ସହ ସେ ଆଗକୁ ବଢ଼ିଥିଲେ। ମୋଦି ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଜନଧନ ଯୋଜନା ଲାଗୁ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହାଛଡ଼ା ବିମୁଦ୍ରୀକରଣ, ଡିଜିଟାଲ ବ୍ୟାଙ୍କିଙ୍ଗ୍‌, ଆର୍ଥିକ କ୍ଷେତ୍ରରେ ତାଙ୍କର ୧୦ ସଂସ୍କାରମୂଳକ ପଦକ୍ଷେପ ଯୋଗୁ ଆଜି ଦେଶ ୫ଲକ୍ଷ କୋଟି ଡଲାର ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି। ସେ ନେଇଥିବା ଆର୍ଥିକ ପଦକ୍ଷେପ ଗୁଡ଼ିକ ହେଲା…
ବିମୁଦ୍ରୀକରଣ ନିଷ୍ପତ୍ତି
କେନ୍ଦ୍ରରେ ମୋଦି ସରକାର ୨୦୧୬ ନଭେମ୍ବର ୮ରେ ପ୍ରଚଳନରେ ଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅଭୂତପୂର୍ବ ପଦକ୍ଷେପ ସମ୍ପର୍କରେ ଜେଟ୍‌ଲୀ ନିଷ୍ପତ୍ତି ନେଇଥିଲେ। ପ୍ରଧାନମନ୍ତ୍ରୀ, ଜେଟ୍‌ଲୀ, ଆର୍‌ବିଆଇର ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କ ବ୍ୟତୀତ ହାତଗଣତି କେତେକ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଥିଲା। ଏହାକୁ ସେତେବେଳେ ବିମୁଦ୍ରୀକରଣ କୁହାଯାଇଥିଲା। ଏହା ଘୋଷଣା ହେବାର ୧୦ ଦିନ ପରେ ଜେଟ୍‌ଲୀ ଏହାର ଅନେକଗୁଡ଼ିଏ ଫାଇଦା ବଖାଣି ଥିଲେ।
ଡିଜିଟାଲ ବ୍ୟାଙ୍କିଙ୍ଗ୍‌
ବିମୁଦ୍ରୀକରଣ ପରେ ସାରା ଦେଶରେ ନଗଦ ସଙ୍କଟ ଦେଖାଦେଇଥିଲା। ଏଥିରୁ ମୁକ୍ତି ପାଇବା ଲାଗି ଜେଟ୍‌ଲୀ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ଉପରେ ଜୋର୍‌ ଦେଇଥିଲେ। ତାଙ୍କରି ଉଦ୍ୟମରେ ସାରା ଦେଶରେ ମୋବାଇଲ ଓ୍ବାଲେଟ୍‌, ପିଓଏସ୍‌ ମେଶିନ, ୟୁପିଆଇ ଭୀମ୍‌ ଆପ୍‌ ଭଳି ସେବା ଆରମ୍ଭ କରାଯାଇଥିଲା। ଫଳସ୍ବରୂପ ଏବେ ନଗଦ କାରବାର ହ୍ରାସ ପାଇବାରେ ଲାଗିଛି ଓ ଡିଜିଟାଲ ଟ୍ରାଞ୍ଜାକ୍‌ଶନ ବଢ଼ିବାରେ ଲାଗିଛି।
ଜିଏସ୍‌ଟି ଓ ଇ-ଓ୍ବେ ବିଲ୍‌
ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଅଦ୍ୟାବଧି ଦେଶର ସବୁଠାରୁ ବଡ଼ ଟିକସ ସଂସ୍କାର ବୋଲି ମନେକରାଯାଉଛି। ଏହି ଲାଗୁ କରାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଜେଟ୍‌ଲୀ। ବିରୋଧୀ ଦଳ ଶାସନରେ ଥିବା ରାଜ୍ୟ ସରକାରଗୁଡ଼ିକୁ ଏଥିପାଇଁ ରାଜିକରିବା ସହଜସାଧ୍ୟ ନ ଥିଲା। ତେବେ ଏଥିରେ ସେ ସଫଳ ହୋଇଥିଲେ। ୨୦୧୭ ଜୁଲାଇ ପହିଲାରୁ ଦେଶରେ ଏକକ ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସ୍‌ଟି ଲାଗୁ ହେବା ପରେ ଆରମ୍ଭରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା। ବ୍ୟବସାୟୀ ଓ ଉଦ୍ୟୋଗ ଜଗତ ଏହାକୁ ସ୍ବାଗତ କରି ନ ଥିଲେ। ତଥାପି ଜେଟ୍‌ଲୀ ଏଥିରେ ହାର୍‌ ନ ମାନି ଧୈର୍ଯ୍ୟର ସହ ଆଗକୁ ବଢ଼ି ସେମାନଙ୍କୁ ସାଥିରେ ନେଇ ଆଇନରେ ଥିବା ତ୍ରୁଟିବିଚ୍ୟୁତିକୁ ସୁଧାରିବାରେ ସେ ଲାଗିଥିଲେ। ତାଙ୍କରି ଉଦ୍ୟମରେ ଜିଏସ୍‌ଟି ଫାଇଲିଂ ପ୍ରକ୍ରିୟା ଅନେକ ସହଜ ହୋଇଛି। ବ୍ୟବସାୟୀ ଗୋଷ୍ଠୀଙ୍କ ଅସୁବିଧାକୁ ଦୂରକରିବା ସହ ଉପଭୋକ୍ତାଙ୍କୁ ଶସ୍ତାରେ ସାମଗ୍ରୀ ଯୋଗାଇବାର ଶ୍ରେୟ ଜେଟ୍‌ଲୀଙ୍କୁ ଦିଆଯାଇପାରେ। ବ୍ୟବସାୟୀମାନେ ମାଲ ପରିବହନ ମାଧ୍ୟମରେ ଟିକସ ଫାଙ୍କୁଥିବା ଜଣାପଡିବା ପରେ ଜେଟ୍‌ଲୀଙ୍କ ଉଦ୍ୟମରେ ଇ-ଓ୍ବେ ବିଲ୍‌ ସାରା ଦେଶରେ ପ୍ରଚଳିତ ହୋଇଛି।
ଇନସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସୀ କୋଡ୍‌(ଆଇବିସି)
ଜିଏସ୍‌ଟି ପରେ ଇନ୍‌ସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ବା ଦେବାଳିଆ ଆଇନ ଲାଗୁ କରାଯିବା ମହତ୍ତ୍ୱପୂର୍ଣ୍ଣ ଆର୍ଥିକ ସଂସ୍କାର ଭିତରେ ଅନ୍ୟତମ। ଏହାର ଶ୍ରେୟ ଜେଟ୍‌ଲୀଙ୍କୁ ଦିଆଯାଇପାରେ। ଉପା ସରକାରଙ୍କ ସମୟରେ ଲଗାମଛଡ଼ା ଋଣ ପ୍ରଦାନ ଯୋଗୁ ବ୍ୟାଙ୍କଗୁଡ଼ିକ ଅନାଦାୟ ଋଣ(ଏନ୍‌ପିଏ) ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଢ଼ାଞ୍ଚାଗତ ସଂସ୍କାର ଆଣିବାକୁ ଯାଇ ସେ ଆଇବିସି ଆଇନ ଆଣିଥିଲେ। ବ୍ୟାଙ୍କ ଠାରୁ ବଡ଼ ବଡ଼ ଋଣ ଚଳୁ କରିଦେଇଥିବା କମ୍ପାନୀ ଏବଂ ପୁଞ୍ଜିପତିଙ୍କ ମଧ୍ୟରେ ଭୟ ସୃଷ୍ଟି ଲାଗି ଏଭଳି ଆଇନ ଲାଗୁ କରିବାର ଆବଶ୍ୟକତା ଦୀର୍ଘଦିନ ଧରି ଥିଲା। ଜେଟ୍‌ଲୀଙ୍କ ଉଦ୍ୟମ ସଫଳ ହେଉଥିବା ମନେ ହେଉଛି। ଗତ ୨ ବର୍ଷ ଭିତରେ ଆଇବିସି ଅଧୀନରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଏନ୍‌ପିଏ ଅର୍ଥ ବ୍ୟାଙ୍କକୁ ଫେରିଲାଣି।
ଆର୍‌ବିଆଇ ମୁଦ୍ରାନୀତି କମିଟି ଗଠନ
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଘୋଷଣା କରାଯାଉଥିବା ମୁଦ୍ରା ନୀତିକୁ ସ୍ବଚ୍ଛ ତଥା ଉତ୍ତରଦାୟୀ କରିବା ଉଦ୍ଦେଶ୍ୟରେ ଜେଟ୍‌ଲୀଙ୍କ ହସ୍ତକ୍ଷେପରେ ୨୦୧୬ରେ ମନିଟାରି ପଲିସି କମିଟି(ଏମ୍‌ପିସି) ବା ମୁଦ୍ରା ନୀତି କମିଟି ଗଠନ କରାଯାଇଥିଲା। ସେତେବେଳେ ଏହାକୁ ନେଇ ଅନେକ ବିରୋଧ ହୋଇଥିଲେ ମଧ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ଏହାକୁ କର୍ଣ୍ଣପାତ କରି ନ ଥିଲେ। ପୂର୍ବେ ଆର୍‌ବିଆଇ ଗଭର୍ନର ଓ ୪ ଜଣ ଡେପୁଟି ଗଭର୍ନରଙ୍କୁ ନେଇ କମିଟି ଗଠନ କରାଯାଇଥିବା ବେଳେ ଜେଟ୍‌ଲୀ ଏହି କମିଟିରେ ଆହୁରି ୨ ଜଣଙ୍କୁ ସାମିଲ କରିଥିଲେ। ଏହି କମିଟି ଢ଼ାଞ୍ଚାରେ ପରିବର୍ତ୍ତନ କରାଯାଇଛି। ଗଭର୍ନର ଓ ୨ ଡେପୁଟି ଗଭର୍ନରଙ୍କ ବ୍ୟତୀତ ସରକାରଙ୍କ ପକ୍ଷରୁ ୩ ଜଣ ମନୋନୀତ ସଦସ୍ୟଙ୍କୁ ନେଇ ୬ ଜଣିଆ କମିଟି ଗଠନ କରାଯାଇଛି। ଏବେ ଏହି କମିଟି ଦେଶର ମୁଦ୍ରାନୀତି ସ୍ଥିର କରୁଛନ୍ତି। ଏମ୍‌ପିସି ବୈଠକ ଅତିକମ୍‌ରେ ବର୍ଷକୁ ୪ ଥର ବସିବାକୁ ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ ପ୍ରତି ୩ ମାସରେ ଗୋଟିଏ ବୈଠକ ଅନୁଷ୍ଠିତ ହେବା ଧାର୍ଯ୍ୟ ହୋଇଥିଲା। ତେବେ ଏବେ ପ୍ରତି ଦୁଇ ମାସରେ ଥରେ ଏମ୍‌ପିସି ବୈଠକ ଆୟୋଜିତ ହେଉଛି।
ବ୍ୟାଙ୍କ ମିଶ୍ରଣ
ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଅଧିକ ଶକ୍ତିଶାଳୀ କରାଯିବା ଉଚିତ ବୋଲି କ୍ଷମତାକୁ ଆସୁଥିବା ସରକାର କହି ଆସୁଥିଲେ ମଧ୍ୟ କେହି ଏ ଦିଗରେ ପଦକ୍ଷେପ ନେଇ ନ ଥିଲେ। କିନ୍ତୁ ଜେଟ୍‌ଲୀ ଏ ଦିଗରେ ସାହସ ପ୍ରଦର୍ଶନ କରି ବ୍ୟାଙ୍କଗୁଡ଼ିକୁ ଏକାଠି ମିଶାଇ ଦେବା ଲାଗି ଉଦ୍ୟମ ଆରମ୍ଭ କଲେ। ତାଙ୍କରି ଉଦ୍ୟମରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହ ଏହାର ୫ ସହାୟକ ବ୍ୟାଙ୍କ ଏବଂ ମହିଳା ବ୍ୟାଙ୍କକୁ ମିଶାଇ ଦିଆଯାଇଥିଲା। ଏହାପରେ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କକୁ ବ୍ୟାଙ୍କ ଅଫ୍‌ ବରୋଦା ସହ ମିଶିଥିଲା। ତାଙ୍କର ଉକ୍ତ ନିଷ୍ପତ୍ତି କାରଣରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ଆସିବାରେ ଲାଗିଛି।
ବିତ୍ତୀୟ ନିଅଣ୍ଟ ଓ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ
ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବିତ୍ତୀୟ ନିଅଣ୍ଟ ଓ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଜେଟ୍‌ଲୀଙ୍କ ଆଉ ବଡ଼ ଉପଲବ୍ଧି ଥିଲା। ୨୦୧୪ରେ ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ଜିଡିପିର ୪.୫% ରହିଥିଲା, ଯାହା ଏପ୍ରିଲ ୨୦୧୯ରେ ହ୍ରାସ ପାଇ ୩.୪% ରହିଛି। ସେହିଭଳି ୨୦୧୪ରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ୯.୫% ରହିଥିବା ବେଳେ ଏପ୍ରିଲ ୨୦୧୯ ବେଳକୁ ଏହା ୨.୯୨ ପ୍ରତିଶତକୁ ହ୍ରାସ ପାଇଛି। ଏହା ଏକ ଉଲ୍ଲେଖଯୋଗ୍ୟ ସଫଳତା କୁହାଯାଇପାରେ।
ଏଫଡିଆଇର ଉଦାରୀକରଣ
ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ(ଏଫଡିଆଇ) ବୃଦ୍ଧି ସପକ୍ଷରେ ମତ ରଖୁଥିବା ଅରୁଣ ଜେଟ୍‌ଲୀ ନିୟମ କୋହଳ କରିବା ସପକ୍ଷରେ ସର୍ବଦା ମତପ୍ରକାଶ କରୁଥିଲେ। ତାଙ୍କରି ପ୍ରୟାସ ଯୋଗୁ ପ୍ରତିରକ୍ଷା, ବୀମା ଓ ବେସାମରିକ ବିମାନ ଚଳାଚଳ ଭଳି ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ ଏଫ୍‌ଡିଆଇ ଲାଗି ଦ୍ୱାର ଉନ୍ମୁକ୍ତ କରାଯାଇଥିଲା। ଏହି ସମୟରେ ଫରେନ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ରମୋଶନ ବୋର୍ଡ(ଏଫ୍‌ଆଇପିବି)କୁ ଭାଙ୍ଗି ଦିଆଯାଇଥିଲା। ତାଙ୍କର ଏହି ପଦକ୍ଷେପ ଯୋଗୁ ଭାରତକୁ ଏଫ୍‌ଡିଆଇ ପ୍ରବାହ ବେଶ ବୃଦ୍ଧି ପାଇଚାଲିଛି। ୨୦୧୪ରେ ଦେଶରେ ୨୪.୩ ବିଲିୟନ ଡଲାର ଏଫଡିଆଇ ଆସିଥିବା ବେଳେ ଏହା କ୍ରମଶଃ ବୃଦ୍ଧି ପାଇ ୨୦୧୯ ଏପ୍ରିଲ ସୁଦ୍ଧା ୪୪.୪ ବିଲିୟନ ଡଲାରରେ ପହଞ୍ଚତ୍ଛି।
ବଜେଟରେ ସଂସ୍କାର
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ନେତୃତ୍ୱରେ ବଜେଟରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର କରାଯାଇଛି। ପୂର୍ବେ ରେଳ ବଜେଟ ଓ ସାଧାରଣ ବଜେଟ ଅଲଗା ଭାବେ ଉପସ୍ଥାପନ କରାଯାଉଥିଲା। ତେବେ ଜେଟ୍‌ଲୀ ଏଥିରେ ହସ୍ତକ୍ଷେପ କରି ରେଳ ବଜେଟକୁ ସାଧାରଣ ବଜେଟ ସହ ମିଶାଇ ଦେଇଥିଲେ। ସେହିପରି ଫେବୃୟାରୀ ମାସର ଶେଷ ଦିନରେ ପୂର୍ବରୁ ବଜେଟ ଉପସ୍ଥାପନ କରାଯାଉଥିବାର ପରମ୍ପରା ଥିଲା। ଜେଟ୍‌ଲୀ ଏଥିରେ ସଂସ୍କାର ଆଣି ସାଧାରଣ ବଜେଟକୁ ଫେବୃୟାରୀ ପହିଲାରେ ଉପସ୍ଥାପନ କରିବା ଆରମ୍ଭ କରିଥିଲେ।
ଜନଧନ ଯୋଜନା
ଆର୍ଥିକ ଏକୀକରଣ ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ମହତ୍ୱାକାଂକ୍ଷୀ ଜନଧନ ଯୋଜନାର ସଫଳତାର ଶ୍ରେୟ ଜେଟ୍‌ଲୀଙ୍କୁ ଦିଆଯାଉଛି। ଗରିବଙ୍କ ପାଇଁ ବ୍ୟାଙ୍କଗୁଡ଼ିକ ଯେପରି ନିଜର ଦରଜା ବନ୍ଦ ନ କରନ୍ତି ସେ ତାହା ସୁନିଶ୍ଚିତ କରିଥିଲେ। ଅର୍ଥ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ ଚଳିତବର୍ଷ ଜୁଲାଇ ୩ ସୁଦ୍ଧା ଦେଶରେ ମୋଟ ୩୬.୦୬ କୋଟି ଜନଧନ ଆକାଉଣ୍ଟ ଖୋଲାଯାଇଛି। ଏହି ଆକାଉଣ୍ଟରେ ସର୍ବନିମ୍ନ ରାଶି ରଖାଯିବା ବାଧ୍ୟତାମୂଳକ ନୁହେଁ। ଅଦ୍ୟାବଧି ଏହି ଆକାଉଣ୍ଟରେ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା ହୋଇସାରିଲାଣି। ଏହି ଆକାଉଣ୍ଟଧାରୀଙ୍କ ପାଇଁ ଓଭରଡ୍ରାଫ୍ଟ ସୀମାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

Share