Categories: ବାଣିଜ୍ୟ

ଜିଏସ୍‌ଟିରେ ଆଜିଠୁ ଲାଗୁ ହେବ ନୂଆ ରିଟର୍ନ ସିଷ୍ଟମ

ନୂଆଦିଲ୍ଲୀ,୧-୭: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବାର ଦୁଇବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ସୋମବାର ଠାରୁ ଏକ ନୂଆ ରିଟର୍ନ ବ୍ୟବସ୍ଥା ଲାଗୁ କରିବେ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପରୋକ୍ଷ ଟିକସ ବ୍ୟବସ୍ଥାରେ କେତେକ ସଂସ୍କାର ଘୋଷଣା କରାଯିବ। ଏଥିରେ ନୂଆ ରିଟର୍ନ ବ୍ୟବସ୍ଥା, କ୍ୟାଶ ଲେଜର ସିଷ୍ଟମ(ନଗଦ ଖାତା ପ୍ରଣାଳୀ)କୁ ତର୍କସଙ୍ଗତ କରିବା ଏବଂ ସିଙ୍ଗଲ ରିଫଣ୍ଡ ଡିସ୍‌ଭର୍ସିଙ୍ଗ ମେକାନିଜମ ସମେତ ଅନ୍ୟ କେତେକ ପ୍ରସଙ୍ଗ ସାମିଲ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଏକ ବିବୃତି ଜାରି କରି କୁହାଯାଇଛି ଯେ, ସୋମବାର ଜିଏସ୍‌ଟି ଲାଗୁ ହେବାର ବର୍ଷପୂର୍ତ୍ତି ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅଧ୍ୟକ୍ଷତା କରିବେ। ତାଙ୍କ ସହିତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏବଂ ଅଧିକାରୀ ରହିବେ। ଏଥିରେ କୁହାଯାଇଛି ଯେ, ଭାରତୀୟ ଅର୍ଥନୀତିରେ ଜିଏସ୍‌ଟି ଏକ ଗେମ୍‌ଚେଞ୍ଜର ହୋଇଛି। ଜଟିଳ ପରୋକ୍ଷ ଟିକସ ଢାଞ୍ଚାକୁ ଜିଏସ୍‌ଟି ମାଧ୍ୟମରେ ସରଳ, ସ୍ବଚ୍ଛ ଓ ଟେକ୍ନୋଲୋଜି ଫ୍ରେଣ୍ଡଲି କରାଯାଇଛି। ଜୁଲାଇ ପହିଲାରୁ ଟ୍ରାଏଲ ଭିତ୍ତିରେ ରିଟର୍ନ ସିଷ୍ଟମ ଲାଗୁ କରାଯିବ ଏବଂ ଅକ୍ଟୋବର ପହିଲାରୁ ଏହାକୁ ବାଧ୍ୟତାମୂଳକ କରାଯିବ। ମନ୍ତ୍ରଣାଳୟର କହିବାନୁଯାୟୀ, କ୍ଷୁଦ୍ର ଟିକସଦାତାଙ୍କ ଲାଗି ସହଜ ଏବଂ ସୁଗମ ରିଟର୍ନ ବ୍ୟବସ୍ଥା ଲାଗି ପ୍ରସ୍ତାବ ଦିଆଯାଇଛି।

Share