Categories: ବାଣିଜ୍ୟ

ଜିଏସ୍‌ଟିରେ ସାମିଲ ହୋଇପାରେ ପ୍ରାକୃତିକ ବାଷ୍ପ, ଏଟିଏଫ୍‌

ନୂଆଦିଲ୍ଲୀ,୨୮-୫: ଏନ୍‌ଡିଏ ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପେଟ୍ରୋଲିୟମ ପଦାର୍ଥ ମଧ୍ୟରୁ ଅନ୍ତତଃପକ୍ଷେ ଦୁଇଟି ସାମଗ୍ରୀ ଜିଏସ୍‌ଟି ଅଧୀନକୁ ଆସିପାରେ। ଅର୍ଥ ମନ୍ତ୍ରଣାଳୟ ଇତିମଧ୍ୟରେ ଜିଏସ୍‌ଟି କାଉନସିଲ୍‌ର ଆସନ୍ତା ବୈଠକର ଏଜେଣ୍ଡା ପ୍ରସ୍ତୁତିରେ ଲାଗିପଡ଼ିଛି। ଏହି ଏଜେଣ୍ଡାରେ ଉକ୍ତ ଦୁଇ ପେଟ୍ରୋଲିୟମ ପଦାର୍ଥକୁ ଜିଏସ୍‌ଟିରେ ସାମିଲ କରିବା ନେଇ ଆଲୋଚନା କରାଯିବ। ପେଟ୍ରୋଲ ଓ ଡିଜେଲ ସମେତ ୫ ପେଟ୍ରୋଲିୟମ ପଦାର୍ଥକୁ ଅଦ୍ୟାବଧି ଜିଏସ୍‌ଟିରୁ ବାଦ୍‌ ଦିଆଯାଇଛି। ଇତିପୂର୍ବେ ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରାକୃତିକ ବାଷ୍ପ ଏବଂ ଏଟିଏଫ୍‌କୁ ଜିଏସ୍‌ଟିରେ ସାମିଲ କରିବାକୁ ପ୍ରସ୍ତାବ ଦେଇସାରିଛି। ଜିଏସ୍‌ଟିକୁ ନେଇ ରାଜ୍ୟଗୁଡ଼ିକ ସହ ଏକମତ ହେବା ଲକ୍ଷ୍ୟରେ ପୂର୍ବର ଏନ୍‌ଡିଏ ସରକାର ୫ ପେଟ୍ରୋଲିୟମ ପଦାର୍ଥ ଯଥା: ଅଶୋଧିତ ତେଲ, ପେଟ୍ରୋଲ, ଡିଜେଲ, ଏଟିଏଫ୍‌ ଓ ପ୍ରାକୃତିକ ବାଷ୍ପକୁ ଏଥିରୁ ବାଦ୍‌ ଦେଇଥିଲେ। ତେବେ ରୋଷେଇ ଗ୍ୟାସ୍‌(ଏଲ୍‌ପିଜି), କିରୋସିନ ଏବଂ ନାଫ୍‌ଥାକୁ ଜିଏସ୍‌ଟିରେ ସାମିଲ କରାଯାଇଥିଲା। ଏଥିଯୋଗୁ ତୈଳ କମ୍ପାନୀଙ୍କୁ ବହୁ ଅସୁବିଧା ହେଉଛି। କାରଣ ସେମାନଙ୍କୁ ଉଭୟ ପୁରୁଣା ଏବଂ ନୂଆ ଟିକସ ବ୍ୟବସ୍ଥା ସହ ତାଳ ଦେଇ ଚାଲିବାକୁ ଓ ହିସାବ କରିବାକୁ ପଡ଼ୁଛି। ଚଳିତ ଆର୍ଥିକ ବର୍ଷରେ ମାସକୁ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଯିବ ବୋଲି ଆଶାକରାଯାଉଛି। ଏପ୍ରିଲରେ ଜିଏସ୍‌ଟି ଆଦାୟ ୧.୧୩ ଲକ୍ଷ କୋଟି ଟଙ୍କା ହୋଇଥିଲା। ଏଟିଏଫ୍‌କୁ ଜିଏସ୍‌ଟି ଅଧୀନକୁ ଅଣାଗଲେ ବିମାନ କମ୍ପାନୀଗୁଡ଼ିକ ବିମାନ ଇନ୍ଧନ ପାଇଁ ଗୋଟିଏ ପ୍ରକାର ଟିକସ ଦେବେ ଏବଂ ସେମାନଙ୍କୁ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ ମିଳିଯିବ। ଫଳରେ ବିମାନ ଇନ୍ଧନ ମୂଲ୍ୟ ହ୍ରାସ ପାଇବ ଏବଂ ବିମାନ ଯାତ୍ରା ଶସ୍ତା ହେବ। ସେହିପରି ପ୍ରାକୃତିକ ବାଷ୍ପକୁ ଜିଏସ୍‌ଟି ଅଧୀନକୁ ଅଣାଗଲେ ଓଏନ୍‌ଜିସି, ଆଇଓସିଏଲ୍‌, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ପ୍ରାୟ ୨୫ ହଜାର କୋଟି ଟଙ୍କା ଟିକସ ବଞ୍ଚାଇ ପାରିବେ। କାରଣ ସେମାନଙ୍କୁ ଇନ୍‌ପୁଟ ଓ ସେବା ପାଇଁ କ୍ରେଡିଟ୍‌ ପାଇବେ।

Share