Categories: ବାଣିଜ୍ୟ

ଜିଏସ୍‌ଟି ଅଡିଟ ରିପୋର୍ଟ ଲାଗି ଜାରି ହେଲା ଫର୍ମ

ନୂଆଦିଲ୍ଲୀ,୧୭-୪: ଆର୍ଥିକ ବର୍ଷ ୨୦୧୭-୧୮ ଲାଗି ୨ କୋଟି ଟଙ୍କାରୁ ଅଧିକ ବାର୍ଷିକ କାରବାର କରୁଥିବା କମ୍ପାନୀଗୁଡ଼ିକୁ ଜିଏସ୍‌ଟି ଅଡିଟ ରିପୋର୍ଟ ଦାଖଲ କରିବାକୁ ହେବ। ଏଥିପାଇଁ ଜିଏସ୍‌ଟି ନେଟ୍‌ଓ୍ବାର୍କ(ଜିଏସ୍‌ଟିଏନ୍‌) ନିଜର ପୋର୍ଟାଲରେ ଫର୍ମ ଜାରି କରିଛି। ଅଡିଟ ରିପୋର୍ଟ ଦାଖଲ କରିବାର ଅନ୍ତିମ ଦିବସ ଜୁନ୍‌ ୩୦ ଧାର୍ଯ୍ୟ ହୋଇଛି। ସୂଚନାଥାଉ କି,  ଆର୍ଥିକ ବର୍ଷ ୨୦୧୭-୧୮ ସାଗଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ କରିବାର ପ୍ରଥମ ବର୍ଷ ଥିଲା। ଅର୍ଥ ମନ୍ତ୍ରଣାଳୟ ଗତବର୍ଷ ଡିସେମ୍ବର ୩୧ରେ ବାର୍ଷିକ ରିଟର୍ନ ଫର୍ମ ଜିଏସ୍‌ଟିଆର-୯, ଜିଏସ୍‌ଟିଆର-୯ଏ ଏବଂ ଜିଏସ୍‌ଟିଆର-୯ସି ପାଇଁ ନୋଟିଫିକେଶନ ଜାରି କରିଥିଲେ। ଜିଏସ୍‌ଟି କାଉନସିଲ ଡିସେମ୍ବରରେ ଏହି ଫର୍ମ ପୂରଣ କରିବାର ଶେଷ ଦିବସ ୩ ମାସ ବଢ଼ାଇ ଜୁନ ୩୦ କରିଛନ୍ତି। ଜିଏସ୍‌ଟି ନେଟଓ୍ବାର୍କ ଜିଏସ୍‌ଟିଆର୍‌-୯ସିକୁ ଅଫଲାଇନରେ ଉପଲବ୍ଧ କରାଇଛି। ଏହାକୁ ଟିକସଦାତା ନିଜେ ପୂରଣ କରିବା ସହ ପୋର୍ଟାଲରେ ଅପ୍‌ଲୋଡ କରିପାରିବେ। ସୂଚନାନୁଯାୟୀ, ଜିଏସ୍‌ଟିଆର୍‌-୯ ପଞ୍ଜୀକୃତ ସମସ୍ତ ଟିକସଦାତାଙ୍କ ବାର୍ଷିକ ରିଟର୍ନ ଫର୍ମ ହୋଇଥାଏ। ଜିଏସ୍‌ଟିଆର୍‌-୯ଏ ଗୋଟିଏ ଥର ଯୋଜନା ଆପଣାଉଥିବା ଟିକସଦାତାଙ୍କ ଲାଗି ଉପଲବ୍ଧ କରାଯାଇଛି। ସେହିପରି ଜିଏସ୍‌ଟିଆର୍‌-୯ସି ଏକ ତଥ୍ୟ ମିଳାଇବା ଫର୍ମ ହୋଇଥାଏ। ଏହାକୁ ଚାର୍ଟାଡର୍ର୍ ଆକାଉଣ୍ଟାଣ୍ଟ ଅଥବା କଷ୍ଟ ଆକାଉଣ୍ଟାଣ୍ଟ ଭେରିଫିକେଶନ କରିଥାନ୍ତି। ବାର୍ଷିକ ୨ କୋଟି ଟଙ୍କା କାରବାର କରୁଥିବା ବ୍ୟବସାୟୀ ବାର୍ଷିକ ରିଟର୍ନ ସହିତ ଏହାକୁ ଜମା କରିଥାନ୍ତି।

Share