Categories: ବାଣିଜ୍ୟ

ଜିଏସ୍‌ଟି ଅଧୀନକୁ ଆସିବନି ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୧୮-୬: ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ତେଲ ଓ ବିମାନ କମ୍ପାନୀଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଫଳରେ ତେଲକୁ ନେଇ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ ନାହିଁ। ପେଟ୍ରୋଲ, ଡିଜେଲ ଓ ଏଟିଏଫ୍‌ ବା ବିମାନ ଇନ୍ଧନକୁ ଜିଏସ୍‌ଟି ଅଧୀନକୁ ଆଣିଲେ ରାଜ୍ୟ ସରକାରଗୁଡ଼ିକର ଆୟ ହ୍ରାସ ପାଇବ ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାରଗୁଡ଼ିକ ପେଟ୍ରୋଲ, ଡିଜେଲ, ରିଏଲ ଇଷ୍ଟେଟ ଓ ମଦକୁ ଜିଏସ୍‌ଟି ଅଧୀନକୁ ଆଣିବାକୁ ଚାହୁଁନାହାନ୍ତି। ଏଥିରୁ ସେମାନେ ସର୍ବାଧିକ ଆୟ କରିଥାନ୍ତି। ଜିଏସ୍‌ଟି ଅଧୀନକୁ ତେଲ ଆସିଗଲେ ରାଜ୍ୟଗୁଡ଼ିକର କ୍ଷତି ହେବ। ରାଜ୍ୟ ସରକାରଗୁଡ଼ିକ ପେଟ୍ରୋଲ, ଡିଜେଲ,ଏଟିଏଫ୍‌, ଘର ଉପରେ ଷ୍ଟାମ୍ପ ଡ୍ୟୁଟି ଏବଂ ମଦ ଉପରେ ଏକ୍ସାଇଜ ଡ୍ୟୁଟି ଆଦାୟ କରନ୍ତି। ତେବେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଯେ, ଉକ୍ତ ୩ ପ୍ରକାର ତେଲକୁ ଜିଏସ୍‌ଟି ଅଧୀନକୁ ଆଣିଲେ ମଧ୍ୟ ଗ୍ରାହକଙ୍କୁ ସେଭଳି ଫାଇଦା ମିଳିବ ନାହିଁ। କାରଣ ତେଲ ଉପରେ ସର୍ବାଧିକ ୨୮% ଟିକସ ସହ ସେସ୍‌ ମଧ୍ୟ ଲାଗୁ କରାଯିବ। ଏହାଦ୍ୱାରା କେବଳ ତେଲ କମ୍ପାନୀଗୁଡ଼ିକୁ ଫାଇଦା ମିଳିବ। ଦୁଇବର୍ଷ ପୂର୍ବେ ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ କେତେକ ସାମଗ୍ରୀ ଉପରେ ଟିକସ ଧାର୍ଯ୍ୟ କରିବାର ଅଧିକାର କେବଳ ରାଜ୍ୟ ସରକାରଙ୍କ ହାତରେ ଅର୍ପଣ କରାଯାଇଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପ୍ରତି ୧୯.୪୮ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପ୍ରତି ୧୫.୩୩ ଟଙ୍କା ଉତ୍ପାଦ ଟିକସ ଆଦାୟ କରୁଛନ୍ତି। ସେହିପରି ବିଭିନ୍ନ ରାଜ୍ୟରେ ତେଲ ଉପରେ ସ୍ବତନ୍ତ୍ର ଭ୍ୟାଟ୍‌ ଆଦାୟ କରାଯାଏ।

Share