Categories: ବାଣିଜ୍ୟ

ଜିଏସ୍‌ଟି ରାଜସ୍ବରେ ଉନ୍ନତି ଲାଗି କମିଟି ବୈଠକ ମଙ୍ଗଳବାର

ନୂଆଦିଲ୍ଲୀ,୧୪-୧୦: ଜିଏସ୍‌ଟି ରାଜସ୍ବରେ ଉନ୍ନତି ଆଣିବା ଲାଗି ସରକାର ଗଠନ କରିଥିବା ଉଚ୍ଚ ସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହେବ। ଗତ ସପ୍ତାହରେ ଏହି କମିଟି ଗଠନ ହୋଇଥିଲା। ଜିଏସ୍‌ଟି ସଂଗ୍ରହରେ ଉନ୍ନତି ଆଣିବା ଲାଗି ଉକ୍ତ କମିଟି ସରକାରଙ୍କୁ ବିଭିନ୍ନ ଆନୁଷଙ୍ଗିକ ପ୍ରସଙ୍ଗରେ ପ୍ରସ୍ତାବ ଦେବ ବୋଲି ଜଣାପଡିଛି। ଜିଏସ୍‌ଟି ଠକେଇ ରୋକିବା, ପରୋକ୍ଷ ଟିକସ ପରିସର ବୃଦ୍ଧି ଉପରେ ବୈଠକରେ ଆଲୋଚନା କରାଯିବ। ଚଳିତ ବର୍ଷ ସେପ୍ଟେମ୍ବରରେ ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତରକୁ ଖସି ୯୧,୯୧୬ କୋଟି ଟଙ୍କା ରହିଛି। ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ଅକ୍ଟୋବର ୧୫ରେ ଏ ନେଇ ଉଚ୍ଚସ୍ତରୀୟ କମିଟି ବୈଠକ ହେବ ବୋଲି ଜିଏସ୍‌ଟି କାଉନସିଲର ସ୍ବତନ୍ତ୍ର ସଚିବ ରାଜୀବ ରଞ୍ଜନ କହିଛନ୍ତି। କମିଟିକୁ ରିପୋର୍ଟ ପ୍ରଦାନ ଲାଗି ୧୫ ଦିନର ସମୟ ଦିଆଯାଇଛି। ୨୦୧୭ ଜୁଲାଇ ପହିଲାରେ ଜିଏସ୍‌ଟି ଲାଗୁ ହେବା ପରେ ଏହା ପ୍ରଥମ ବିସ୍ତୃତ ତର୍ଜମା ବୋଲି ଜଣାପଡ଼ିଛି। କମିଟିରେ ୧୨ ସଦସ୍ୟ ରହିଛନ୍ତି।

Share